ଅରୁଣ ଜେଟଲୀଙ୍କ ଗୁରୁତର: ଏମ୍ସ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଗୃହମନ୍ତ୍ରୀ-ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତକାଲି ରାତିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଥିଲେ। ଏବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲେ ମଧ୍ୟ ସ୍ଥିର ରହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଅଗଷ୍ଟ ୯ ରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ୬୬ ବର୍ଷୀୟ ଜେଟଲୀ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। କିନ୍ତୁ ୧୦ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା। ଏବେ ତାଙ୍କ ହାର୍ଟ ଠିକରେ କାମ କରିବା ଆରମ୍ଭ କରିଛି ଏବଂ ରକ୍ତ ସଞ୍ଚାଳନ ମଧ୍ୟ ସ୍ୱାଭାବିକ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍ ନଜର ରଖିଛି। ଗତକାଲି ସକାଳେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସ୍ଥିତ ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହା ପୂର୍ବରୁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ସଡ଼କ ପହିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଅନେକ ନେତା ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝୁଛନ୍ତି।

ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନଥିବାରୁ ବିଜେପିର ଏହି ବରିଷ୍ଠ ନେତା ଲୋକସଭା ନିର୍ବାଚନ ଲଢ଼ିନଥିଲେ କି ମନ୍ତ୍ରୀ ପଦ ଗ୍ରହଣ କରିନଥିଲେ।