ଖରିଫ ଧାନ ବିକିନଥିବା ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର: ବିଜେପି କୃଷକ ମୋର୍ଚ୍ଚା

ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରସଙ୍ଗରେ

ଭୁବନେଶ୍ୱର: ଚାଷୀ ଅନ୍ନଦାତା । କରୋନା ମହାମାରୀ ଲଢେଇରେ ଆମ ଚାଷୀ ଭାଇ ମଧ୍ୟ ଜଣେ ଜଣେ ଯୋଦ୍ଧା ଓ ଲଢେଇର ସାରଥୀ । ସେମାନଙ୍କ କାରଣରୁ ସମସ୍ତଙ୍କ ଘରେ ଚୁଲି ଜଳେ । ଚଳିତବର୍ଷ ଖରିଫ୍ ଋତୁରେ ଧାନ କିଣିବାର ନିର୍ଦ୍ଧାରିତ ତାରିଖ ପୂର୍ବରୁ ଲକ୍‌ଡାଉନ୍ ଘୋଷଣା ହେବା ଏବଂ ଟକୋନ୍ ସମସ୍ୟା କାରଣରୁ ଧାନ ବିକ୍ରିରୁ ବଂଚିତ ହୋଇ ରାଜ୍ୟର ଅନେକ ଚାଷୀ ଭାଇ ଓ ଭଉଣୀ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟରେ ଧାନ କିଣାରେ ଅହେତୁକ ବିଳମ୍ବ ପରିଲକ୍ଷିତ ହୋଇଛି ଏବଂ ରାଜ୍ୟ ସରକାର ଏ ନେଇ କୌଣସି ସ୍ପଷ୍ଟିକରଣ ରଖିନାହାନ୍ତି । ରାଜ୍ୟ ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ପଷୋଣ କରି ତୁରନ୍ତ ସେମାନଙ୍କ ଠାରୁ ଖରିଫ ଧାନ କିଣିବାର ବ୍ୟବସ୍ଥା କରିବାକୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ୍ ବିଶ୍ୱାଳ କହିଛନ୍ତି ଯେ, ଏବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖରିଫ ଧାନ ମଣ୍ଡିରେ ବିକ୍ରି ହେବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ କରୋନା ଭୂତାଣୁ ସଂକଟ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ଘୋଷଣା ହେବା କାରଣରୁ ରାଜ୍ୟର ଲକ୍ଷାଧିକ ଚାଷୀ ଖରିଫ ଧାନ ବିକ୍ରି କରିପାରିନାହାନ୍ତି । ମଣ୍ଡି ସମସ୍ୟା ଓ ଟୋକନ ବ୍ୟବସ୍ଥା ମଧ୍ୟ ଖରିଫ ଧାନ ସଂଗ୍ରହରେ ବାଧା ହୋଇଛି । ରାଜ୍ୟର ପ୍ରାୟ ସମସ୍ତ ଚାଷୀ ଖରିଫ୍ ଧାନ ବିକ୍ରୟ ଉପରେ ନିର୍ଭର କରନ୍ତି । ଚାଷୀମାନଙ୍କର ରୋଜଗାରର ମୂଳ ପନ୍ଥା ହେଲା ଖରିଫ ଧାନ । ଏହି ସମୟରେ ସେମାନେ ଧାନ ବିକ୍ରି କରି ବର୍ଷଯାକର ଗୁଜୁରାଣ ମେଂଟାନ୍ତି । ମାତ୍ର ଚଳିତବର୍ଷ କରୋନା ତଥା ଲକ୍‌ଡାଉନ୍ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ବିକ୍ରୟ ପାଇଁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଫଳରେ ଚାଷୀମାନଙ୍କର ଧାନ ମଣ୍ଡି ବା ନିଜ ଘରେ ପଡି ରହିଥିବା ବେଳେ ସେମାନେ ବାହାର ବ୍ୟବସାୟଙ୍କୁ ବିକ୍ରି କରିପାରିନାହାନ୍ତି । ଏହା ଚାଷୀଙ୍କ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଲକ୍‌ଡାଉନ କାରଣରୁ ଚାଷୀମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କାରଣରୁ ଚାଷୀମାନେ ଘର ଚଳାଇବାକୁ ଅସମର୍ଥ ହୋଇଛନ୍ତି । ବର୍ତମାନ ଲକ୍‌ଡାଉନ୍ ସମୟରେ ଚାଷୀର ରୋଜଗାରର ଅନ୍ୟ ପନ୍ଥା ନଥିବାରୁ ଅନେକ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଛି । ଚାଷୀମାନେ ସ୍ୱଳ୍ପମିଆଦି ଋଣ ଶୁଝିବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

କେନ୍ଦ୍ର ସରକାର ଚାଷୀଙ୍କଠାରୁ ଖରିଫ୍ ଧାନ କ୍ରୟ କରିବା ପାଇଁ ଏମଏସପିର ବ୍ୟବସ୍ଥା କରିଛନ୍ତି । ମାତ୍ର ଓଡିଶାରେ ଧାନକିଣାରେ ମିଲରଙ୍କ ଦୁର୍ନୀତି କାରଣରୁ ଚାଷୀ ତାଙ୍କ ପ୍ରାପ୍ୟ ପାଉନାହିଁ । କରୋନା ପାଇଁ ଲକ୍ ଡାଉନ ହେବା କାରଣରୁ ଧାନ କିଣା ପୂରା ଠପ୍ । ଯଦ୍ୱାରା ଚାଷୀ ମୁଣ୍ଡରେ ହାତ ଦେଇବସିଛି । ମହାବିପତି ସମୟରେ ଚାଷୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରାୟ ସମସ୍ତ ଚାଷୀ ଖରିଫ୍ ଧାନ ବିକିବା ନେଇ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବିଶ୍ୱାଳ ଅନୁରୋଧ କରିଛନ୍ତି ।

ରାଜ୍ୟ ସରକାର ଚାଷୀକୂଳ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ଏବଂ ଖରିଫ ଧାନ କ୍ରୟ ନେଇ ସ୍ପଷ୍ଟୀକରଣ ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ଏହାସହ ଚାଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ କରିବା ସମୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗାଇଡଲାଇନର ଅନୁପାଳନ ଯଥା ସାମାଜିକ ଦୂରତା ମାନିବା, ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ବିଶ୍ୱାଳ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।