ହରିୟାଣା ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରାର୍ଥୀ ତାଲିକା

ଚଣ୍ଡିଗଡ଼:ଭାରତୀୟ ଜନତା ପାର୍ଟି(ବିଜେପି) ହରିୟାଣା ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ୯୦ ବିଧାନସଭା ଆସନରୁ ବିଜେପି ପ୍ରଥମ ତାଲିକାରେ ୭୮ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି। ଏଥିରେ ୩୮ ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ୭ ବିଧାୟକଙ୍କ ଟିକେଟ୍ କଟାଯାଇଛି। ସବୁଠୁ ବଡ଼ କଥା ଏହା ଯେ ପାର୍ଟି ପକ୍ଷରୁ ଏଥର ବବିତା ଫୋଗାଟ, ଯୋଗେଶ୍ଵର ଦତ୍ତ ଓ ସନ୍ଦୀପ ସିଂହଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇଛି। 

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଏଥର ନିର୍ବାଚନରେ କରନାଲ ଆସନରୁ ପ୍ରାର୍ଥୀ କରାଯାଇଛି। ଏହା ବ୍ୟତୀତ କୁସ୍ତିଯୋଦ୍ଧା ଯୋଗେଶ୍ଵର ଦତ୍ତଙ୍କୁ ବରୋଦା, ସନ୍ଦୀପ ସିଂହଙ୍କୁ ପିଟୁଆରୁ, ବବିତା ଫୋଗାଟଙ୍କୁ ଦାଦ୍ରି, ଲତିକା ଶର୍ମାଙ୍କୁ କାଲକା ଓ ଜ୍ଞାନଚନ୍ଦ୍ର ଗୁପ୍ତାଙ୍କୁ ପଞ୍ଚକୂଲାରୁ ଟିକେଟ୍ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ହରିୟାଣାରେ ଅକ୍ଟୋବର ୨୧ରେ ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରତିଦ୍ଵନ୍ଦୀ କଂଗ୍ରେସ ଓ ଜେଜେପି ରହିବେ। ରବିବାର ଦୁଷ୍ମନ୍ତ ଚୌଟାଲାଙ୍କ ଦଳ ଜନନାୟକ ଜନତା ପାର୍ଟି ରାଜ୍ୟରେ ୧୦ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ଏହା ବ୍ୟତୀତ ବହୁଜନ ସମାଜ ପାର୍ଟି ମଧ୍ୟ ରବିବାର ନିଜର ପ୍ରାର୍ଥୀଙ୍କୁ ଘୋଷଣା କରିଥିଲା।