ସ୍ମିତାରାଣୀ ହତ୍ୟା ମାମଲା: ମହିଳା କମିଶନ କାର୍ଯ୍ୟାଳୟ ଘେରିଲା ବିଜେପି

ଭୁବନେଶ୍ୱର:ଯାଜପୁର ହରିଦାସପୁର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ହତ୍ୟା ମାମଲାରେ ଆଜି ଭାରତୀୟ ଜନତା ପାର୍ଟୀ ମହିଳା ମୋର୍ଚ୍ଚା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ତଦନ୍ତକୁ ବାଟବଣା କରାଯାଉଥିବାର ପ୍ରତିବାଦ ଏବଂ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ନେତ୍ରୀମାନେ ଦାବି କରିଛନ୍ତି । ଅଧ୍ୟକ୍ଷା ସ୍ମିତାରାଣୀଙ୍କୁ ନ୍ୟାୟ ଦେବାରେ ପକ୍ଷପାତିତା କରିଥିବା ଅଭିଯୋଗ ହୋଇଛି । 

ଆଜି ବିଜେପି ମହିଳା ମୋର୍ଚ୍ଚାର ଏକ ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରି ତୋଶାଳୀ ପଡ଼ିଆରେ ଥିବା ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଛନ୍ତି । ଅଧ୍ୟକ୍ଷା ସ୍ମିତାରାଣୀଙ୍କୁ ନ୍ୟାୟ ଦେବାରେ ପକ୍ଷପାତିତା କରିବା ସହିତ ଅଭିଯୁକ୍ତଙ୍କ ହାତବାରିସି ସାଜିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । 

ସେପଟେ ମହିଳା କମିଶନ ଅଧ୍ୟକ୍ଷା ମୀନିତୀ ବେହେରା ପୋଲିସର ତଦନ୍ତରେ ସନ୍ତୁଷ୍ଟ ନ ଥିବା କହିଛନ୍ତି । ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି । ତେବେ ଯାଜପୁର ଏସ୍‌ପି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଦେବାର ଉଚିତ ନ ଥିଲା । ସେଥିପାଇଁ ଗତ 18 ତାରିଖରେ ତାଙ୍କୁ ରିପୋର୍ଟ ମଗାଯାଇଛି । କିନ୍ତୁ ଏ ଯାଏଁ ଏସ୍‌ପି ରିପୋର୍ଟ ଦେଇ ନାହାଁନ୍ତି । ଆମେ ଦୁଇ ଦୁଇ ଥର ଯାଇ ତଦନ୍ତ କରିଛୁ । ଆବଶ୍ୟକ ହେଲେ ଆଗକୁ ପୁଣି ତଦନ୍ତ ହେବ ବୋଲି ବେହେରା କହିଛନ୍ତି ।