ସଂସଦରେ ରାହୁଲଙ୍କ “ରେପ୍ ଇନ୍ ଇଣ୍ଡିଆ” ମନ୍ତବ୍ୟକୁ ନେଇ ଝଡ଼

ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ “ରେପ୍ ଇନ୍ ଇଣ୍ଡିଆ” ମନ୍ତବ୍ୟକୁ ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି । ସଂସଦରେ ସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ଓମ୍ ବିର୍ଲା ୧୨ଟା ଯାଏଁ ମୁଲତବୀ ରଖିଥିଲେ । ଏହାପରେ ପୁନର୍ବାର ସ୍ଥିତିରେ କୌଣସି ପରିବର୍ତନ ଦେଖା ନ ଯିବାରୁ ଲୋକସଭାକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖିଛନ୍ତି ବାଚସ୍ପତି ।

ଆଜି ସଂସଦ ଆରମ୍ଭ ମାତ୍ରେ ଶାସକ ଦଳର ମହିଳା ସାଂସଦ ମାନେ ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଦେଇଥିବା ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ଉଦ୍ଧୃତ କରିଥିଲେ। ଲୋକସଭା ବ୍ୟତୀତ ରାଜ୍ୟସଭାରେ ମଧ୍ୟ ରାହୁଲଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛି ଶାସକ ଦଳ। ଆଜି ଶୀତକାଳୀନ ଅଧିବେଶନର ଅନ୍ତିମ ଦିନ ହୋଇଥିବା ବେଳେ ବିରୋଧୀଙ୍କୁ ଆଜି ଶାସକ ଦଳ ଘେରିଥିବା ଦେଖିବାକୁ ମିଳିଛି।

ରାହୁଲଙ୍କ ଏଭଳି ମତ ନିନ୍ଦନୀୟ। ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜଣେ ନେତା ଦେଶର ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଆହ୍ୱାନ କରିଛନ୍ତି ବୋଲି ଆମେଠି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ। ଏହାକୁ ସମର୍ଥନ କରି ଶାସକ ଦଳର ମହିଳା ସାଂସଦ ମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ‘ଆମେ ନ୍ୟାୟ ଚାହୁଁ’ ବୋଲି ନାରା ଦେଇଥିଲେ ଶାସକ ଦଳର ସାଂସଦମାନେ। ଏମିତିକି ଏଭଳି ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ଦଣ୍ଡିତ କରାଯାଉ ବୋଲି ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଦାବି କରିଥିଲେ ଶାସକ ଦଳର ସାଂସଦମାନେ। ତେବେ ଏହି ସମୟରେ ବିରୋଧୀ ଦଳର ମହିଳା ସାଂସଦ ମାନେ ନିରବ ରହି ନିଜ ନିଜ ଆସନରେ ବସିଥିବା ଦେଖିବାକୁ ମିଳିଛି।

ୟୁପିଏରେ ସାମିଲ୍ ଥିବା ଡିଏମକେ ସାଂସଦ କାନ୍ନୀମୋଝୀ କିନ୍ତୁ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ କହିଛନ୍ତି, ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ଆମେ ସମର୍ଥନ କରୁନାହୁଁ। ଦେଶରେ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ବିଫଳ ହୋଇଥିବା ବେଳେ କେବଳ ଦୁଷ୍କର୍ମ ହିଁ ବଢ଼ିଛି।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଆହ୍ୱାନ ଦେଇଥିବା ଏଭଳି ଜଣେ ସାଂସଦ ସଂସଦରେ ରହିବା ଉଚିତ ନୁହେଁ। ରାହୁଲଙ୍କ ଏଭଳି ମନ୍ତବ୍ୟ କେବଳ ସଂସଦକୁ ନୁହେଁ ବରଂ ସାରା ଦେଶକୁ ମର୍ମାହତ କରିଛି। ତେଣୁ ସଂସଦର ଉଭୟ ସଦନ ସହିତ ଦେଶବାସୀଙ୍କୁ ରାହୁଲ ଗାନ୍ଧି କ୍ଷମା ମାଗିବା ଉଚିତ ବୋଲି ରାଜନାଥ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧି ଝାଡ଼ଖଣଣ୍ଡର ସନ୍ଥାଲପରଗନାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସେ ଜୋରଦାର ବର୍ଷିଥିଲେ। ଦେଶରେ ଦୁଷ୍କର୍ମ ମାମଲା ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ରାହୁଲ କହିଥିଲେ ମୋଦୀ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ ଏବଂ ରେପ୍ ଇନ୍ ଇଣ୍ଡିଆ’ରେ ପରିଣତ ହୋଇଛି। ଦେଶ ଏବେ ଦୁଷ୍କର୍ମର ରାଜଧାନୀ ପାଲଟିଛି।