ଶେଷରେ ଦଳରୁ ବହିଷ୍କୃତ ହେଲେ ଜେଲରେ ଥିବା ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକ

ନୂଆଦିଲ୍ଲୀ: ଗଣମାଧ୍ୟମ ଓ ବିରୋଧୀଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେପି। ଦୀର୍ଘ ଗୋଟିଏ ବର୍ଷ ହେଲା ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ବିଜେପି ଆଜି ଦଳରୁ ବହିଷ୍କୃତ କରିଛି।

ପୂର୍ବରୁ ଦଳ ସେନଗାରଙ୍କୁ କେବଳ ନିଲମ୍ବନ କରିଥିଲା। ହେଲେ ଏବେ ହାଇକମାଣ୍ଡ ବାଧ୍ୟ ହୋଇ ସେନଗାରଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତାରୁ ବହିଷ୍କୃତ କରିଛନ୍ତି। ସେନଗାର ଉନ୍ନାଓ ଠାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏପରିକି, ଜେଲରେ ଥାଇ ସୁଦ୍ଧା ପୀଡ଼ିତାଙ୍କ ସମେତ ତାଙ୍କ ପରିବାରକୁ ରାସ୍ତା ଦୁର୍ଘଟଣା ଜରିଆରେ ହତ୍ୟା କରିବାକୁ ଉଦ୍ୟମ କରିଥିବା ମଧ୍ୟ ସନ୍ଦେହ କରାଯାଉଛି।

ରବିବାର ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ରାଏବରେଲୀ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ପୀଡ଼ିତାଙ୍କ ଦୁଇ ସମ୍ପର୍କୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଓକିଲ ଓ ନିଜେ ପୀଡ଼ିତା ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ରାଜନୀତିକ ହଟଚମଟ ମଧ୍ୟ ସୃଷ୍ଟି ହୋଇଛି। ବିରୋଧୀଙ୍କ ଚାପ ଯୋଗୁ ୪ଥର ବିଧାୟକ ହୋଇଥିବା ସେନଗାରଙ୍କୁ ବିଜେପି ବହିଷ୍କୃତ କରିଛି। ଏହି ଦୁର୍ଘଟଣାର ତଦନ୍ତ ଏବେ ସିବିଆଇ କରୁଛି। ସିବିଆଇ ରୁଜୁ କରିଥିବା ମାମଲାରେ ସେନଗାରଙ୍କ ସମେତ ୩୧ ଜଣଙ୍କ ନାଁ ରହିଛି।

ଅନ୍ୟପକ୍ଷରେ ଆଜି ଯୋଗୀ ଆଦିତ୍ୟନାଥ ସରକାର ପୀଡ଼ିତାଙ୍କ ସୁରକ୍ଷାରେ ଅବହେଳା ଅଭିଯୋଗରେ ୩ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ୩ ସୁରକ୍ଷାକର୍ମୀଙ୍କୁ ପୀଡ଼ିତାଙ୍କ ସହ ୨୪ ଘଣ୍ଟା ରହିବାକୁ କୁହାଯାଇଥିଲା। ହେଲେ ଦୁର୍ଘଟଣା ଦିନ ଏମାନେ ପୀଡ଼ିତାଙ୍କ ସହ ଯାଇ ନଥିଲେ। ପୀଡ଼ିତା ଏମାନଙ୍କୁ ଯିବାକୁ ମନା କରିଥିଲେ ହେଁ ଏକଥା ସେମାନେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇ ନଥିଲେ। ଫଳରେ ଯୋଗୀ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।