ବିଜେଡିରେ ମିଶିଲେ ନୀଳଗିରି MLA ଲଢ଼ିଥିବା ବିଜେପି ପ୍ରାର୍ଥୀ ସୁଷମାରାଣୀ ବିଶ୍ୱାଳ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ସାଂସଦ ଶ୍ରୀ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁଷମାରାଣୀ ବିଶ୍ୱାଳ ବିଜେପି ଛାଡ଼ି ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀମତୀ ବିଶ୍ୱାଳଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀମତୀ ବିଶ୍ୱାଳ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବାଲେଶ୍ୱର ଜିଲ୍ଲା ସହ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।
ଏହି ଅବସରରେ ଶ୍ରୀମତୀ ବିଶ୍ୱାଳ କହିଥିଲେ ଯେ ବାଲେଶ୍ୱର ଜିଲ୍ଲା ବିଜେପି ବର୍ତ୍ତମାନ ବେପାର ମନୋବୃତ୍ତି ନେଇ କାର୍ଯ୍ୟ କରୁଛି । ଯେଉଁମାନେ ସ୍ୱେଚ୍ଛାସେବୀ କାର୍ଯ୍ୟ ଓ ଭଲ ପାଇବା ନେଇ ବିଜେପିରେ ଅଛନ୍ତି, ସେମାନେ ବହୁତ ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି । ଅପରପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ଜନହିତକର କାର୍ଯ୍ୟକ୍ରମରେ ମୁଁ ଅନୁପ୍ରାଣିତ ହୋଇଛି । ବାଲେଶ୍ୱର ଜିଲ୍ଲା ସାଂସଦ ଶ୍ରୀ ରବୀନ୍ଦ୍ର ଜେନାଙ୍କ ବଳିଷ୍ଠ ନେତୃତ୍ୱ ଓ କାର୍ଯ୍ୟ କରିବାର ଧାରା ମୋତେ ଆକର୍ଷିତ କରିଛି । ଲୋକଙ୍କ ପାଖରେ ରହିବି ଓ ସେବା କରିବି ବୋଲି ଶ୍ରୀମତୀ ବିଶ୍ୱାଳ କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅନନ୍ତ ଦାସ, ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ଶ୍ରୀ ଅନୁଭବ ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।