ବିଜେପି ମିଶନ ୨୦୧୯ : ୧୮ ରାଜ୍ୟର ନିର୍ବାଚନ ଲାଗି ପ୍ରଭାରୀ ତାଲିକ ଘୋଷଣା କଲା ବିଜେପି, ଓଡିଶା ଦାୟୀତ୍ୱରେ ଅରୁଣ ସିଂହ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କେନ୍ଦ୍ର ବିଜେପି । ୨୦୧୯ରେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗାଦିରେ ବସାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ବିଭିନ୍ନ ରାଜ୍ୟରେ ଦଳର ଲୋକସଭା ନିର୍ବାଚନ ମଙ୍ଗ ଧରିବାକୁ ପ୍ରଭାରି ମାନଙ୍କୁ ନିଯୁକ୍ତ କରିଛି ବିଜେପି । ପ୍ରଥମ ଦଫାରେ ୧୮ ରାଜ୍ୟ ଲାଗି ପ୍ରଭାରୀଙ୍କ ନାଁ ଘୋଷଣା ହୋଇଛି । ରଷ୍ଟ୍ରିୟ ମହାମନ୍ତ୍ରୀ ଅରୁଣ ସିଂହଙ୍କୁୁ ପୂର୍ବ ପରି ଓଡିଶା ପ୍ରଭାରୀ ଦାୟୀତ୍ୱ ଦେଇଛି ଦଳ । ଅରୁଣ ରାଜ୍ୟରେ ୧୨୦ ପ୍ଲସ ମିଶନ ପାଇଁ ରଣନୀତିକୁ ଆଗକୁ ନେବେ । ସେହିପରି ବିଜେପି ସରକାର ଥିବା ୟୁପି ଲାଗି ଗୋବର୍ଦ୍ଧନ ଝଡ଼ପାଡିଆ, ଦୁଷ୍ୟନ୍ତ ଗୌତମ ଏବଂ ନରୋତ୍ତମ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କହିଛନ୍ତି, ଆନ୍ଧ୍ରପ୍ରଦେଶର ଦାୟିତ୍ୱ ଭି. ମୁରଲୀଧରନ ଏବଂ ସୁନିଲ ଦେଓଧରଙ୍କୁ ଦିଆଯାଇଛି। ମହେନ୍ଦ୍ର ସିଂହଙ୍କୁ ଆସାମ, ଭୁପେନ୍ଦ୍ର ଯାଦବଙ୍କୁ ବିହାର, ଡ. ଅନିଲ ଜୈନଙ୍କୁ ଛତିଶଗଡ଼, ଓମ୍‌ପ୍ରକାଶ ମାଥୁରଙ୍କୁ ଗୁଜୁରାଟ, ତୀରଥ ସିଂହ ରାଓ୍ଵତଙ୍କୁ ହିମାଚଳ ପ୍ରଦେଶ, ମଙ୍ଗଳ ପାଣ୍ଡେଙ୍କୁ ଝାଡ଼ଖଣ୍ଡ, ସ୍ୱତନ୍ତ୍ର ଦେବ ସିଂହ ଏବଂ ସତୀଶ ଉପାଧ୍ୟାୟଙ୍କୁ ମଧ୍ୟପ୍ରଦେଶ ପ୍ରଭାରୀ ଏବଂ ସହାୟକ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।
ଏହା ବ୍ୟତୀତ କ୍ୟାପ୍‌ଟେନ୍‌ ଅଭିମନ୍ୟୁଙ୍କୁ ପଂଜାବ ଏବଂ ଚଣ୍ଡିଗଡ଼, ପ୍ରକାଶ ଜାଭେଡକର ଏବଂ ସୁଧାଂଶୁ ତ୍ରିବେଦୀଙ୍କୁ ରାଜସ୍ଥାନ, ନିତିନ ନବୀନଙ୍କୁ ସିକ୍କିମ, ଅରବିନ୍ଦ ଲମ୍ବାଓ୍ଵଲିଙ୍କୁ ତେଲେଙ୍ଗାନା, ଥାଓ୍ଵରଚନ୍ଦ୍ର ଗହଲୋତଙ୍କୁ ଉତ୍ତରାଖଣ୍ଡ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।