ପିପିଲି ଉପନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପୁରୀ : ପିପିଲି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ ନେତା ଓ ବିଧାୟକଙ୍କ ଗହଣରେ ପୁରୀର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଶ୍ରିତ ପୁରୀ ଜିଲ୍ଲା ବିଜେପିର ଜିଲ୍ଲା ସଭାପତି ଅଛନ୍ତି । ଗୁରୁବାର ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ଦଳ ଏଥର ଉପନିର୍ବାଚନରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏଥିସହ ଆଶ୍ରିତଙ୍କୁ ଆଗରେ ରଖି ଏଥର ବିଜେପି ପିପିଲି ଉପ ନିର୍ବାଚନ ଲଢିବ ବୋଲି ପକ୍କା ହୋଇଯାଇଥିଲା । ଆଶ୍ରିତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ମଧ୍ୟ ପିପିଲରୁ ବିଜେପି ପ୍ରାର୍ଥୀ ହୋଇଥିଲେ, ହେଲେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କଠାରୁ ସେ ପାଖା ପାଖି ୧୫ ହଜାର ଭୋଟ ବ୍ୟବଧାନରେ ହାରିଥିଲେ । ସେତେବେଳେ କିନ୍ତୁ ସେ ପ୍ରଦୀପ ମହାରଥୀଙ୍କୁ କଡ୍ଡା ଟକ୍କର ଦେଇଥିଲେ । ତାଙ୍କୁ ପ୍ରାୟ ୭୨ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ତେଣୁ ଏଥର ଉପ ନିର୍ବାଚନରେ ଦଳ ତାଙ୍କୁ ଆଗରେ ରଖି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ସୂଚନା ଥାଉ କି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏବେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉଲ୍ଲେଖଯୋଗ୍ୟ, ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି । ଏପ୍ରିଲ ୧୭ ତାରିଖରେ ବହୁଚର୍ଚ୍ଚିତ ଏହି ଆସନରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ମହାରଥୀଙ୍କ ଆବର୍ତ୍ତମାନରେ ପିପିଲି ଭୋଟର କାହାକୁ ପସନ୍ଦ କରିବେ ତାହା ରେଜଲ୍ଟରୁ ଜଣା ପଡିବ ।

bjp candidate ashrit patnaik filed his nomination for pipili by election