୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ଆଗାମୀ ଦିନରେ ଦିଲ୍ଲୀ, ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ହରିଆନାରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିଛି।  ଆଜି ଦଳ ତା’ର ନିର୍ବାଚନ ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ତାଲିକା ଘୋଷଣା କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଥିବା ବେଳେ ବିଜେପି କିନ୍ତୁ ଏବେଠୁ ତା’ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। ସେହପରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିର୍ବାଚନ ସହ ପ୍ରଭାରୀ ଭାବରେ ନିଯୁକ୍ତ କରିଛନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଭୁପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ଭାବରେ ବିଜେପି ନିଯୁକ୍ତ କରିଥିବା ବେଳେ ୟୁପିର ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ କର୍ଣ୍ଣାଟକାର ପୂର୍ବତନ ବିଧାୟକ ଲକ୍ଷ୍ଣଣ ସାବଦୀଙ୍କୁ ସହ ପ୍ରଭାରୀ ଭାବରେ ନିଯୁକ୍ତ କରିଛି।

ଏହାବ୍ୟତୀତ ହରିଆନା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୟୁପିର ମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କୁ ସହ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି।

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ ମହାସଚିବ ଓମ୍ ପ୍ରକାଶ ମାଥୁରଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ବିହାରର ମନ୍ତ୍ରୀ ନନ୍ଦକିଶୋର ଯାଦବଙ୍କୁ ସହ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି।