ବିଜେପିର ବିହାର ବୁଝାମଣା : ସମାନ ଆସନରେ ଲଢ଼ିବେ ବିଜେପି ଓ ଜେଡିୟ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ହୋଇଛି । ଦୁଇ ଦଳ ସମାନ ସଂଖ୍ୟକ ଆସନରେ ଲଢ଼ିବାକୁ ଆଜି ସହମତ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ମଧ୍ୟରେ ଆଲୋଚନା ପରେ ଏହା ଘୋଷଣା କରାଯାଇଛି । ପରେ ଦୁଇ ନେତା ଗଣମାଧ୍ୟମକୁ କହିଛନ୍ତି, ଆସନ ବୁଝାମଣା ଫର୍ମୁଲା ଚୂଡ଼ାନ୍ତ ହୋଇଛି । ଦୁଇ ଦଳ ସମାନ ସଂଖ୍ୟକ ଆସନରେ ଲଢ଼ିବେ ଏବଂ ଅନ୍ୟ ସହଯୋଗୀ ଦଳଗୁଡ଼ିକୁ ସମ୍ମାନଜନକ ସଂଖ୍ୟାର ଆସନ ମିଳିବ । ଉଭୟ ଦଳ କେତେ ଆସନରେ ଲଢ଼ିବେ, ତାହା ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ଅମିତ୍ ଶାହ କହିଛନ୍ତି । ଦୁଇ ଦଳ ମଧ୍ୟରେ ଏକାଧିକବାର ଆଲୋଚନା ପର୍ଯ୍ୟାଲୋଚନା ପରେ ଆସନ ବୁଝାମଣା ହୋଇଛି । ଅମିତ୍ ଶାହ କହିଛନ୍ତି, ଉପେନ୍ଦ୍ର କୁଶୱାହା ଓ ରାମବିଳାସ ପାଶ୍ୱାନ ଆମ ସହ ରହିବେ । ଆମ ସାଥୀରେ ନୂଆ ସହଯୋଗୀ ଯୋଗ ଦେଇଥିବାରୁ ପ୍ରତ୍ୟେକଙ୍କ ଆସନ ସଂଖ୍ୟା କମିବ ।

ବିହାରରେ ୪୦ଟି ଲୋକସଭା ଆସନ ଥିଲା ବେଳେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ, ଏଲ୍ଜେପି, ଆର୍ଏଲ୍ଏସ୍ପି ଏନ୍ଡିଏର ଅଂଶୀଦାର ଅଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକସମତା ପାର୍ଟି ନେତା ବିଜେପି ନେତୃତ୍ୱାଧୀନ ମେଣ୍ଟ ଛାଡ଼ିବେ ନାହିଁ ବୋଲି ବାରମ୍ବାର କହିଆସିଛନ୍ତି । କିନ୍ତୁ ସେ ମଝିରେ ମଝିରେ ଏଭଳି ସଙ୍କେତ ଦେଇଛନ୍ତି, ଯାହା ସନ୍ଦେହର ଅବକାଶ ସୃଷ୍ଟି କରିଛି । ଗତ ଅଗଷ୍ଟରେ ସେ ଏଭଳି ସଂକେତ ଦେଲେ, ସମସ୍ତେ ଧରିନେଲେ ସେ ପକ୍ଷ ପରିବର୍ତ୍ତନ କରିବେ । ଗତ ଲୋକସଭା ନିର୍ବାଚନରେ ଜେଡିୟୁ ବାମପନ୍ଥୀ ଦଳଗୁଡ଼ିକ ସହ ମିଶି ନିର୍ବାଚନ ଲଢ଼ିଥିଲା । ୨୦୧୫ ବିଧାନସଭା ନିର୍ବାଚନରେ ଆର୍ଜେଡି ଓ କଂଗ୍ରେସ ସହ ମହାଗଠବନ୍ଧନ କରିଥିଲା । ବିଜେପି – ଏଲ୍ଜେପି – ଆର୍ଏଲ୍ଏସ୍ପି ମିଳିତ ଭାବେ ୨୦୧୪ ଲୋକସଭା ନିର୍ବାଚନରେ ୩୧ ଆସନରେ ବିଜୟୀ ହୋଇଥିଲେ । ଜେଡିୟୁ କେବଳ ନାଳନ୍ଦା ଓ ପୁର୍ଣ୍ଣିଆ ଆସନରେ ଜିତିଥିଲା । ବାକି ୭ଟି ଆସନରୁ ଆର୍ଜେଡି ୪, କଂଗ୍ରେସ ୨ ଓ ଏନ୍ସିପି ଗୋଟିଏ ଆସନ ଜିତିଥିଲା । ତେବେ ବିଜେପି ୨୨ଟି ଆସନ ହାସଲ କରିଥିଲା ।