ବିଜେପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ ରୀତା ସାହୁ , କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା

ବରଗଡ଼ : ‍‍ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇସାରିଛି। ୨ ବର୍ଷ ମଧ୍ୟରେ ୩ ଥର ନିର୍ବାଚନ ସତ୍ତ୍ୱେ ବିଜେପୁରବାସୀଙ୍କ ମଧ୍ୟରେ ଭୋଟକୁ ନେଇ ଉତ୍କଣ୍ଠା କମିନାହିଁ। ଆଜି ସକାଳୁ ସକାଳୁ ହିଁ ବୁଥ୍ ଆଗରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ଓ ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ନିଜ ବୁଥରେ ଆଜି ସକାଳୁ ଭୋଟ ଦେଇଛନ୍ତି ।

ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି । ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ କି ଇଭିଏମ୍‌ରେ ମଧ୍ୟ କୌଣସି ପ୍ରକାର ତ୍ରୁଟି ଦେଖା ଯାଇ ନାହିଁ । ସୁରୁଖୁରୁରେ ମତଦାନ ଚାଲିଛି । ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲୋକେ ଭୋଟ ଦେଇପାରିବେ । 

ବିଜେପୁର ଉପନିର୍ବାଚନ ଲାଗି ମୋଟ ୨୮୫ଟି ବୁଥ କରାଯାଇଛି ।  ନିର୍ବାଚନୀ ମଇଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ୨ଲକ୍ଷ ୩୨ ହଜାର ଭୋଟର॥ ମୁଖ୍ୟତଃ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି । ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଭୋଟ ପାଇଁ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି ।  ଗାଇସିଲେଟ ବ୍ଲକର ୬ଟି ବୁଥ୍ ମାଓ ପ୍ରବଣ ହୋଇଥିବାବେଳେ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି  । ୩୩  ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ  ପୁଲିସ୍‌ ଅଧିକାରୀ ନିୟୋଜିତ ହୋଇଛନ୍ତି । ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ କରାଯାଇଛି । ଦିବ୍ୟାଙ୍ଗମାନଙ୍କ କରାଯାଇଛି  ସ୍ୱତନ୍ତ୍ର ବ୍ୟବସ୍ଥା ।