ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଧାୟକ ପ୍ରିତିନିଧୀ ଦଳଙ୍କ ହରିଦାସପୁର ପଂଚାୟତ ଗସ୍ତ

ଭୁବନେଶ୍ୱର: ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୧୫ ଦିନ ବିତିଲାଣି । ବିଜେପି ବରାମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଚୁପ ବସିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ଠିକ୍ ଭାବେ ହୋଇନଥିବା କଥାକୁ ଖୋଦ୍ ସ୍ୱୀକାର କରିଛନ୍ତି । ପୋଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ସେଠାରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ । ଅନ୍ୟପଟେ ଯାଜପୁର ଏସପି ବୃତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀର ଚରିତ୍ରହନନ କଲେ । ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି । ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ବିଧାୟକ ଦଳ ପ୍ରତିନିଧୀ ହରିଦାସପୁର ପଂଚାୟତ ଗସ୍ତ କରି ମୃତା ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଛନ୍ତି । ସ୍ମିତାରାଣୀର ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ପୁର୍ବରୁ ଗଣ ବଳାକ୍ରାର ହୋଇଥିବା ଭଳି ଲାଗୁଛି । ହେଲେ ତଦନ୍ତକୁ ବାଟବଣା କରିବା ପାଇଁ ଜିଲ୍ଲା ଏସପି ସ୍ମିତାରାଣୀଙ୍କର ଚରିତ୍ର ହନନ କରିବା ସହିତ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେଲେ । ବିନା ତଦନ୍ତରେ, ମୃତା ସ୍ମୀତାରାଣିଙ୍କର ସ୍ୱାମୀଙ୍କ ମତକୁ, ସ୍ମୀତାରାଣିଙ୍କର ପରିବାରର କଥାକୁ ଏସପି ତଦନ୍ତ ପରିସର ଭୁକ୍ତ ନକରି କେବଳ ଯିଏ ଅପରାଧୀ ତାହା କଥାରେ ସ୍ମୀତାରାଣୀଙ୍କର ଚରିତ୍ରକୁ ଆକ୍ଷେପ କଲେ । ତଦନ୍ତ ଦାୟୀତ୍ୱରେ ଥିବା ଜିଲ୍ଲା ଏସପି ଜଣେ ସର୍ବଭାରତୀୟ ପୋଲିସ ସେବାର ଅଧିକାରୀ । ତାଙ୍କର ଏଭଳି ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତ । ଜଣେ ମୃତ ମହିଳାଙ୍କର ଚରିତ୍ରକୁ ଆକ୍ଷେପ କରି ସର୍ବସାଧାରଣରେ ଏପରି ଟିପ୍ପଣି ଦେବା ପିଡିତାଙ୍କ ପରିବାରର ମାନହାନି କରିବା ସହିତ ହିନ୍ଦୁ ପରମ୍ପରାରେ ମୃତ ଆତ୍ମା ପ୍ରତି ଦିଆଯାଉଥିବା ସମ୍ମାନକୁ ବିରୋଧାଚରଣ କରୁଛି । ଜିଲ୍ଲା ପୋଲିସ ଓ ପ୍ରଶାସନ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରଣରୁ ନ୍ୟାୟ ମିଳିବା ଅସମ୍ଭବ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ । ଏହା ସହ ଯାଜପୁର ଏସପିଙ୍କୁ ବହିଷ୍କାର କରିବା ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି ।

ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ବଳାକ୍ରାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ ତଦନ୍ତ ସାରିଥିବା କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି । ଶାସକ ବିଜେଡି ଦଳର ପ୍ରବକ୍ତା ସାଜି ମହିଳା କମିଶନ ନିଜ ପଦବୀର ମର୍ଯ୍ୟାଦାହାନୀ କରି ମିଥ୍ୟା ବୟାନବାଜି କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ନାଏକ କହିଛନ୍ତି । ସ୍ମିତାରାଣିଙ୍କର ସ୍ୱାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ ସ୍ମୀତାରାଣିଙ୍କ ଉପରେ ବୃତିଗତ ଚାପ ଥିଲା । ଶାସକ ଦଳର କିଛି ନେତା ମିଥ୍ୟା ବିଲ ପାସ କରାଇବା, ପକ୍କାଘର ହିତାଧୀକାରି ଚୟନରେ ସେମାନଙ୍କ ସୁପାରିଶ ଅନୁସାରେ ହିତାଧିକାରି ଚୟନ କରିବା ଓ ଅନ୍ୟାନ ସରକାରୀ ଯୋଜନାରେ ବେଆଇନ କାମ କରିବା ପାଇଁ ଚାପ ପକାଉଥିଲେ । ସେକଥା ସ୍ମୀତାରାଣି ତାଙ୍କ ସ୍ୱାମୀଙ୍କୁ ଅନେକ ଥର କହିଥିଲେ । ପୋଲିସ ସେହି ଦିଗ ଉପରେ ତଦନ୍ତ କାହିଁକି କଲାନାହିଁ । ବିଜୁ ପକ୍କାଘର କେଳେଙ୍କାରିକୁ ଲୁଚାଇବା ପାଇଁ ସ୍ମୀତାଙ୍କୁ ହତ୍ୟା କରାଯାଇଛି ଏକଥା ସ୍ପଷ୍ଟ ଜଣାପଡୁଛି । ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ସେ ଗେଷ୍ଟହାଉସର ସିସିଟିଭି ଫୁଟେଜ କୁଆଡେ ଗଲା? ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ଘଟଣାସ୍ଥଳ ଏବଂ ଗେଷ୍ଟହାଉସ କଣ ପାଇଁ ପୋଲିସ ସେହି ଘଟଣା ଘଟିବା ପରେ ସିଲ କଲା ନାହିଁ । ଯେଉଁ ସ୍କୋପିଓରେ ମୃତା ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଗଲା ସେ ଗାଡି କାହାର ଏବଂ ସେଗାଡିକୁ ପୋଲିସ କଣ ପାଇଁ ସିଜ କରିଲା ନାହିଁ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।

ରାଜ୍ୟସରକାର ମହିଳା ସଶକ୍ତିକରଣ , ମୋ ସରକାର, ମୋ ପୋଲିସ ଏବଂ ୫ଟି କଥା କହୁଥିବାବେଳେ ଏକ ସରକାରୀ
କର୍ମଚାରି ଓ ମହିଳାଙ୍କ ମୃତ୍ୟୁପରେ ତାଙ୍କୁ ନ୍ୟାୟ ମିଳୁନାହିଁ । ମହିଳା କମିଶନ ଘଟଣା ସ୍ଥଳକୁ ଯାଇଥିଲେ ବି ଆଶ୍ଚର୍ଯ୍ୟ ଜନକ ଭାବେ ମୃତା ସ୍ମୀତାରାଣିଙ୍କର ପରିବାର ଲୋକଙ୍କୁ ଭେଟିଲେ ନାହିଁ । ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରି ତାଙ୍କୁ ତୁରନ୍ତ ନ୍ୟାୟ ଦିଆଯାଉ ବୋଲି ଶ୍ରୀ ନାଏକ କହିଛନ୍ତି । ଏହି ପ୍ରତିନିଧୀ ଦଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଜିଲ୍ଲା ସଭାପତି ଗୌତମ ରାୟ, ଅମର ନାୟକ, ବବିତା ମଲ୍ଲିକ, ଅମୀୟ ମଲ୍ଲିକ, ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।