କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଫନି ବାତ୍ୟା କାରଣରୁ ରାଜ୍ୟର ବ୍ୟାପକ କ୍ଷତି ହୋଇଛି । ଘଂଟା ପ୍ରତି ୨୫୦କିମିରୁ ଉର୍ଦ୍ଧ ପବନର ବେଗ ଏବଂ ପ୍ରବଳ ବର୍ଷା କାରଣରୁ ପୁରୀ ସମେତ ଉପକୂଳବର୍ତୀ ୧୩ଟି ଜିଲ୍ଲାଗୁଡିକରେ ବ୍ୟାପକ କ୍ଷତି ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ପାଖାପାଖି ୧୫ ଲକ୍ଷରୁ ଉର୍ଦ୍ଧ ନଡିଆ ଗଛ ସଂପୂର୍ଣ୍ଣ ନଷ୍ଟ ହେବା କାରଣରୁ ନଡିଆ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି । ଫନି ବାତ୍ୟା କାରଣରୁ ନିଜ ନିଜ ଜୀବନ ଜୀବିକା ହରାଇ ବ୍ୟାପକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ସ୍ପେସିଆଲ ରିଲିଫ ପ୍ରଦାନ କରିବାକୁ ବିଜେପିର ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି । ଏହା ଦ୍ୱାରା ସେମାନଙ୍କ ଜୀବନ ଓ ଜୀବିକାର ପୁନରୁ୍ଦ୍ଧାର ଶିଘ୍ର ଓ ତ୍ୱରାନ୍ୱିତ ହୋଇପାରିବ ବୋଲି ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ କହିଛନ୍ତି । ରାଜ୍ୟର ଉପକୂଳବାସିନ୍ଦା ଚାଷୀକୁଳ ପାଇଁ ନଡିଆ ଚାଷ ପ୍ରମୁଖ୍ୟ ଭୁମିକା ଗ୍ରହଣ କରିବା ସହ ପ୍ରାୟ ୫ଟି ଜିଲ୍ଲାବାସୀଙ୍କ ପାଇଁ ଅତିରିକ୍ତ ରୋଜଗାର ଅଟେ । ଗୋଟିଏ ନଡିଆ ଗଛ ସଂପୂର୍ଣ୍ଣ ବା ଆଂଶିକ ଭାବେ ନଷ୍ଟ ହୋଇଗଲେ ଆଉ ଫଳପ୍ରଦ ହୋଇନଥାଏ । ସେହିପରି ଗୋଟିଏ ନୂଆ ଗଛ ଫଳ ଦେବା ପାଇଁ ପ୍ରାୟ ୪ ରୁ ୫ ବର୍ଷ ସମୟ ଲାଗିଥାଏ । ଫନି ବାତ୍ୟା ଜନିତ ନଡିଆ ଚାଷ ନଷ୍ଟ ହୋଇଥିବା କାରଣରୁ ହଜାର ହଜାର ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ସେହିପରି ରାଜ୍ୟରେ କତା ଶିଳ୍ପ ପାଇଁ ନଡିଆ ଚାଷ ପ୍ରମୁଖ ଭୁମିକା ଗ୍ରହଣ କରିଅଛି । ଏହି କତା ଶିଳ୍ପ କାରଣରୁ ହସ୍ତତନ୍ତ୍ର ଦ୍ରବ୍ୟ ଉତ୍ପାଦ କରୁଥିବା ଅନେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀମାନେ ପ୍ରଭାବିତ ହୋଇଥିବାର ଏହି ପ୍ରତନିଧି ଦଳ ସ୍ମାରକ ପତ୍ର ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟର ପାଖାପାଖି ୩୦ ଲକ୍ଷରୁ ଉର୍ଦ୍ଧ ଚାଷୀ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ତାଲିକାରୁ ବାଦ୍ ପଡି ସମସ୍ତ କେନ୍ଦ୍ରୀୟ ଯୋଜନାର ସୁବିଧା ପାଇବାକୁ ବଂଚିତ ହୋଇଛନ୍ତି । ଯଥାଶୀଘ୍ର ସଠିକ ଲାଭାର୍ଥୀ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ଡ.ଲେଖାଶ୍ରୀ ସାମନ୍ତସିଂହାର, ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ମହାପାତ୍ର ଓ ଜୀବନ ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ମହେଶ ମହାନ୍ତି ପ୍ରମୁଖ ସାମିଲ ଥିଲେ ।