ନବୀନଙ୍କ ସଫଳତା ବଖାଣିବ ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ ନବୀନ ସରକାରର ସଫଳତା ଓ ମୋଦି ସରକାରଙ୍କ ବିଫଳତାକୁ ସାରା ରାଜ୍ୟରେ ପ୍ରଚାର କରିବ । ୨୪ରୁ ୩୦ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳ ତରଫରୁ ସୂଚନା ଦିଆଯାଇଛି । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, କେନ୍ଦ୍ରରେ ବିଜେପି ଶାସିତ ସରକାର ଯୁବକଯୁବତୀ ଓ ନାଗରିକମାନଙ୍କ ଅର୍ଥନୈତିକ, ରାଜନୈତିକ, ସାମାଜିକ ବିକାଶ ଘଟାଇବା ପରିବର୍ତ୍ତେ ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଚାଲିଛନ୍ତି । ଓଡ଼ିଶାର ପ୍ରତିଟି ନିର୍ବାଚନ ମଣ୍ଡଳୀରେ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ମହିଳା ବିଜେଡି ପକ୍ଷରୁ ସମାବେଶ କରି ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା, ଅଧିକରୁ ଅଧିକ ମହିଳାଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ନିମନ୍ତେ ପ୍ରୋତ୍ସାହିତ କରାଇବା, ମହିଳା ଚାଷୀଙ୍କୁ ଓ ଜୀବିକା ନିର୍ବାହରେ ସଫଳ ମହିଳାଙ୍କୁ ସମ୍ମାନ ଦେବା, ମହିଳାଙ୍କ ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ସଶକ୍ତିକରଣ, ତୃଣମୂଳ ସ୍ତର ପର୍ଯ୍ୟନ୍ତ ମହିଳାଙ୍କୁ ସଂଗଠିତ କରିବା ଏବଂ ମହାନଦୀ, ପୋଲାଭରମ୍‍ ତଥା ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସଂପର୍କୀୟ ବିଭିନ୍ନ ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବ ବୋଲି ସେ କହିଛନ୍ତି ।

ବିଜେଡି ସାଧାରଣ ସମ୍ପାଦକ ବିଧାୟକ ଅରୁଣ ସାହୁ କହିଥିଲେ, ରାଜନୀତିରେ ମହିଳାମାନଙ୍କ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ୩୩ ଭାଗ ସ୍ଥାନ ସଂରକ୍ଷଣ କରିଥିବା ବେଳେ ତାଙ୍କ ପୁତ୍ର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ ମହିଳା ରାଜନୀତିରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ମହିଳାମାନଙ୍କୁ ରାଜନୈତିକ, ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ଉନ୍ନତ କରିବା ସହ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି । ଏପରିସ୍ଥଳେ କେନ୍ଦ୍ରରେ ବିଜେପି ଶାସିତ ସରକାର ଓଡ଼ିଶାର ଉନ୍ନତି ପାଇଁ ବାଧକ ସାଜିଛି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍‍ ନିର୍ମାଣ କରିବା କ୍ଷେତ୍ରରେ ଛତିଶଗଡ଼କୁ ସାହାଯ୍ୟ କରି ତଳମୁଣ୍ଡରେ ଥିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରିବା, ରନ୍ଧନ ଗ୍ୟାସ୍‍, ପେଟ୍ରୋଲ ଓ ଡିଜେଲ୍‍ ଦର ବୃଦ୍ଧି କରି ଜନସାଧାରଣଙ୍କୁ ହନ୍ତସନ୍ତ କରିବା ଆଦି ବାର୍ତ୍ତାକୁ ବିଜୁ ମହିଳା ଜନତା ଦଳ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦଳର ଉପସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।