ସାରସକଣା ବ୍ଲକ ୫୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ

ବାରିପଦା: ଉପନିର୍ବାଚନରେ ବିଜେଡି ବିଜୟୀ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ୫୬ ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଶେଖର ମହାନ୍ତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବଂଶୀଧର ବେରାଙ୍କୁ ୧୦ ହଜାର ୪୨୮ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ୧୫ ହଜାର ୩୫୧ ଭୋଟ୍ ପାଇଥିବା ବେଳେ ବିଜେପିକୁ ୪, ୯୨୩ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ ଚିତ୍ତବିକାଶ ମହାପାତ୍ର ପାଇଛନ୍ତି ସର୍ବମୋଟ ୬୧୮ ଭୋଟ୍ ।ସେହିଭଳି ଜେଏମ୍ଏମ୍ ପ୍ରାର୍ଥୀ ପ୍ରଦୀପ୍ତ କୁମାର ମହାନ୍ତ ୧,୧୬୩ ଭୋଟ୍ ପାଇଛି । କଂଗ୍ରେସ ଠାରୁ ଅଧିକ ଭୋଟ୍ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ମହାନ୍ତଙ୍କୁ ମିଳିଛି । ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ୨,୪୩୦ ଭୋଟ ପାଇଥିବା ବେଳେ ୯୨୯ଟି ଭୋଟ୍ ନାକଚ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ । ଉପନିର୍ବାଚନ ଭୋଟ୍ ଗଣତି ଆଠଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମରୁ ଅଷ୍ଟମ ପର୍ଯ୍ୟାୟ ସମସ୍ତ ରାଉଣ୍ଡରେ ଶାସକ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିଲେ ।
ଏହି ବିଜୟ ପାଇଁ ତୁଷାରେନ୍ଦୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ-୨ର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସଦାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।