ଅଙ୍ଗନୱାଡ଼ି କର୍ମୀଙ୍କୁ କେନ୍ଦ୍ରର ଅବହେଳା ବିରୋଧରେ ବର୍ଷିଲା ବିଜେଡି ଶ୍ରମିକ ସାମ୍ମୁଖ୍ୟ

ସାମ୍ମୁଖ୍ୟ ପକ୍ଷରୁ ୭ ଦଫା ଦାବି ଉପସ୍ଥାପନ

ଭୁବନେଶ୍ୱର : ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ବର୍ଷିଛି ବିଜେଡିର ଶ୍ରମିକ ସାମ୍ମୁଖ୍ୟ । ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟକ ସାମ୍ମୁଖ୍ୟର ବାର୍ଷିକ କାର୍ଯ୍ୟକାରିଣୀରେ କରୋନା କାଳରେ ଅଙ୍ଗନୱାଡ଼ି କର୍ମୀଙ୍କ କାମକୁ ପ୍ରଶଂସା ସହ ଆଗାମୀ ଦିନରେ ସେମାନଙ୍କ ଦାବି ଉପରେ ଆଲୋକପାତ କରିବାକୁ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଅଙ୍ଗନୱାଡ଼ି କର୍ମୀଙ୍କ ମନୋବଳ ବୃଦ୍ଧି କରିଥିଲେ ।
ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟ ସହ ସହବନ୍ଧିତ ଏହି ସାମ୍ମୁଖ୍ୟର ବାର୍ଷିକ କାର୍ଯ୍ୟକାରିଣୀରେ ମହାମାରୀ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶଂସନୀୟ କାମର ବିବରଣୀ ରଖାଯାଇଥିଲା । କିପରି ଘର ଘର ବୁଲି ତଥ୍ୟ ସଂଗ୍ରହରୁ ଆରମ୍ଭ କରି ସହାୟତା ପ୍ରଦାନ କରାଯାଇଛି, ତାକୁ ଦଳ ପକ୍ଷରୁ ପ୍ରଶଂସା କରାଯାଇଛି । ଏଥିସହ ସାମ୍ମୁଖ୍ୟ ପକ୍ଷରୁ ୭ ଦଫା ଦାବି ଉପସ୍ଥାପନ କରାଯାଇଥିଲା ।

1.ଗ୍ରୀଷ୍ମକାଳୀନ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ

2.ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି ସତ୍ତ୍ୱେ ହଇରାଣ ହେଉଥିବା କର୍ମୀଙ୍କ ସମସ୍ୟା ସମାଧାନ

3.ଅବସରକାଳୀନ ଭତ୍ତା ପ୍ରଦାନ ବିଜ୍ଞପ୍ତି

4.୫୦ ପ୍ରତିଶତକୁ ବୃଦ୍ଧି ପାଇଥିବା ସୁପରଭାଇଜର ପ୍ରୋମସନର ସଠିକ୍ କାର୍ଯ୍ୟକାରିତା

5.୭୫୦୦ରୁ ୧୦ହଜାର ଟଙ୍କାକୁ ଦରମା ବୃଦ୍ଧି

6.ଏସ୍‌ଏନ୍‌ପି ଓ ଟିଏଚ୍‌ଆର୍‌ ବଣ୍ଟନ ମୂଲ୍ୟ ବୃଦ୍ଧି

7.ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ପୂର୍ଣ୍ଣ କର୍ମୀର ମାନ୍ୟତା ପାଇଁ ଦାବି

ଅଙ୍ଗନୱାଡ଼ି କର୍ମୀଙ୍କ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ଶୀଘ୍ର ପଦକ୍ଷେପ ନିଆଯିବ କହି ଅଙ୍ଗନୱାଡ଼ି କର୍ମୀଙ୍କ ମୁହଁରେ ହସ ଫୁଟାଇ ଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତେବେ ସଂଗଠନ ଆହୁରି ବ୍ୟାପକ ହେବ, ଅଧିକ ସଦସ୍ୟ ସଂଗ୍ରହ କରାଯିବ, ତାହା କାର୍ଯ୍ୟକାରିଣୀର ଫୋକସରେ ଥିବା ସେ ସୂଚନା ଦେଇଛନ୍ତି । ସେହିପରି ଏହି କର୍ମଶାଳାକୁ ଉଦଘାଟନ କରିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସୁସ୍ଥ ସମାଜ ଗଠନରେ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।
BJD trade union slams center on anganwadi issue