ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ସଂସଦର ଶୀତ ଅଧିବେଶନରେ ଆଗତ କରିବାକୁ ବିଜେଡିର ଦାବି

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ହେତୁ, ଅଧିବେଶନ ପୂର୍ବରୁ ଗୃହ ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଅଛନ୍ତି। ଏହାଛଡ଼ା ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଛନ୍ତି।

ଏଥିରେ ଯୋଗ ଦେଇ ବିଜେଡି ସାଂସଦ ପିନାକୀ ମିଶ୍ର ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ସଂସଦର ଶୀତ ଅଧିବେଶନରେ ଆଗତ କରିବାକୁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ବିଜେଡିର ଏହି ଦାବିକୁ ନେଇ କେନ୍ଦ୍ର ସରକାର କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଏଣେ ଆଗରୁ ଆସାମ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ବିଧାନ ପରିଷଦ ଗଠନ ବିଲକୁ ମଧ୍ୟ ଏଯାଏଁ ମଞ୍ଜୁରି ମିଳି ନାହିଁ ,ଯାହା ବହୁଦିନରୁ ପଡ଼ିରହିଛି।