ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପୁଣି ଆନ୍ଦୋଳନ, ରାଜଭବନ ଆଗରେ ଧାରଣା

ଭୁବନେଶ୍ବର :  ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପୁଣି ଆନ୍ଦୋଳନ । କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ରୋକିବାରେ ବିଫଳ ଅଭିଯୋଗ ରାଜଭବନ ଆଗରେ ଧାରଣା ଦେବା ସହ ପ୍ରତିବାଦ କରିଛି ଦଳ । ସେପଟେ ଲୋକଙ୍କ ସ୍ବାର୍ଥ ପାଇଁ ନୁହେଁ ବରଂ ରାଜନୈତିକ ଉଦେଶ୍ୟରେ ବିଜେଡି  ଏମିତି ଡେଉଁଥିବା ବିଜେପି କହିଛି । କାହିଁକି ରାଜ୍ୟ ସରକାର ଭାଟ୍ କମାଉ ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

ରାଜଧାନୀରେ ତେଲ ତାତି । କେନ୍ଦ୍ର ସରକାରଙ୍କ  ବିରୋଧରେ ନାରାବାଜି, ପ୍ରତିବାଦ ରାଜଭବନ ଆଗରେ ବିଜେଡିର ଧାରଣା । ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତାଏ । ବିଜୁ ଛାତ୍ର ଜନତା, ଯୁବ ଓ ବିଜୁ ମହିଳା ଜନତା ଦଳ ପକ୍ଷରୁ ଜୋରଦାର୍ ପ୍ରତିବାଦ କରାଯାଇଛି । ପେଟ୍ରେଲ, ଡିଜେଲ ଏବଂ ଏଲପିଜିର ଆକାଶ ଛୁଆ ଦରକୁ ନିନ୍ଦା କରିଛି ଦଳ । ମୋଦି ସରକାର ତୁରନ୍ତ ତେଲ ଉପରେ ନିୟନ୍ତ୍ରଣ ରଖିବାକୁ ଦାବି ହୋଇଛି । ଦର ନକମିଲେ ଆଗକୁ ରାଜ୍ୟର ୩୧୪ ବ୍ଲକରେ ପ୍ରତିବାଦ ହେବ ବୋଲି ବିଜେଡି ଚେତାବନୀ ଦେଇଛି ।

ତେଲ ଦର ବୃଦ୍ଧିକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ଏହା ଲୋକଙ୍କୁ ବାଧୁଛି ବୋଲି ମାନିଛି ବିଜେପି । ତେବେ ବିଜେଡିର ପ୍ରତିବାଦ ତୈଳ ଦର ବୃଦ୍ଧିକୁ ନେଇ ନୁହେଁ, ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ରାଜନୈତିକ ଆକ୍ରମଣ ବୋଲି କହିଛି ଦଳ । ବିଜେଡି ଯଦି ଲୋକଙ୍କ ପାଇଁ ଏତେ ଚିନ୍ତା କରୁଛି, ତା ହେଲେ କାହିଁକି ରାଜ୍ୟ ସରକାର ଭାଟ୍ କମାଉ ନାହାନ୍ତି ? ତ୍ରିପୁରା ଭଳି ରାଜ୍ୟ ସାଢେ ୧୩ ପ୍ରତିଶତ ଭାଟ୍ ନେଉଥିବା ବେଳେ ଓଡ଼ିଶା ୨୬ ପ୍ରତିଶତ ନେଉଛି । ତେଲରୁ ଟିକସ ବାବଦରୁ ରାଜ୍ୟ ସରକାର ଏବେ ୭ ହାଜର କୋଟି ଟଙ୍କା ପାଉଛନ୍ତି । ଭାଟ୍ କମାଇ ତୈଳ ଦର କାହିଁକି କମାଉ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଆଉ କଂଗ୍ରେସ କହୁଛି, ପ୍ରତିବାଦ ନାଁ ଡ୍ରାମା ଚାଲିଛି ।

ରାଜ୍ୟରେ ପେଟ୍ରୋଲ ଦର ଏବେ ୮୨ ଟଙ୍କା ଟପିଲାଣି । ସେପଟେ ଅଣ ସବସିଡି ଗ୍ୟାସ୍ ଦର ସିଲିଣ୍ଡର ପିଛା ୫୯ ଟଙ୍କା ବଢ଼ିଥିବା ବେଳେ ସବସିଡି ପାଉଥିବା ଗ୍ରାହକ ୨ ଟଙ୍କା ୮୯ ପଇସା ଅଧିକା ଦେବେ । ଯାହକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ଲୋକଙ୍କ ସ୍ବାର୍ଥ ଆଳରେ ଚାଲିଛି ରାଜନୈତିକ ବାଦି ପାଲା ।