ଭୁବନେଶ୍ୱର : ବିଜେପି ମୁଖପାତ୍ର ସୋନାଲି ସାହୁ ବୋଧହୁଏ ଜାଣିନାହାନ୍ତି ଯେ ଗତକାଲି ବିଜେଡି ସାଂସଦମାନେ ଭାରତର ମାନ୍ୟବର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ଏକ କେନ୍ଦ୍ରୀୟ ଆଇନ୍ ଦାବି କରିଛନ୍ତି ଯେଉଁଥିରେ ସଂରକ୍ଷଣ ସୀମାକୁ ୫୦%ରୁ ଊର୍ଦ୍ଧ୍ୱ କରାଗଲେ ଓଡିଶା ସରକାର ଓବିସି ବର୍ଗଙ୍କ ପାଇଁ ଅଧିକ ସଂରକ୍ଷଣ କରିପାରିବେ। ମାନ୍ୟବର ସୁପ୍ରିମ୍କୋର୍ଟ ତାଙ୍କ ରାୟରେ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସୀମିତ ରଖିଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ବିଜେପି ମୁଖପାତ୍ରଙ୍କୁ ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ମିଥ୍ୟା ଓ ବିଭ୍ରାନ୍ତିକର ବିବୃତ୍ତି ଦେବା ପରିବର୍ତ୍ତେ ଓଡିଶା ବିଜେପି ନିଜ ଦଳ ପରିଚାଳିତ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏକ କେନ୍ଦ୍ରୀୟ ଆଇନ୍ ଆଣିବାକୁ ଅନୁରୋଧ କରିବା ଉଚିତ୍ ଯେଉଁଥିରେ ସଂରକ୍ଷଣ ସୀମା ୫୦%ରୁ ଅଧିକ ରହିବ ଓ ଓଡିଶା ସରକାର ଓବିସିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସଂରକ୍ଷଣ ସୁବିଧା ଦେଇପାରିବେ । ଏହି କେନ୍ଦ୍ରୀୟ ଆଇନ୍ ଆଣିବାରେ ବିଳମ୍ବ ହେତୁ ଯଦିଓ ଓଡିଶା ସରକାର ଚାହୁଁଛନ୍ତି, କିନ୍ତୁ ଓବିସି ସଂରକ୍ଷଣ କାର୍ଯ୍ୟକାରୀ କରିବାରେ ସମର୍ଥ ହୋଇପାରୁ ନାହାନ୍ତି ।
ସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏସ୍ଇବିସି/ଓବିସି ମାନଙ୍କର ଜାତି ଭିତ୍ତିକ ଜନଗଣନା ପାଇଁ ଦାବିକରି ଆସୁଛନ୍ତି ଯାହା ଦ୍ୱାରା ସେମାନଙ୍କୁ ସଂରକ୍ଷଣ ସୁବିଧା ଯୋଗାଇ ଦିଆଯାଇ ପାରିବ । ହେଲେ କେନ୍ଦ୍ରରେ ବିଜେପି ପରିଚାଳିତ ସରକାର ଏହି ଦାବିକୁ ଗ୍ରହଣ କରିନାହାନ୍ତି ।
ଆମେ ଓଡିଶା ବିଜେପିକୁ ଅନୁରୋଧ କରୁଛୁ ଯେ ରାଜ୍ୟର ଓବିସି ଲୋକଙ୍କ ଭାବନାକୁ ନେଇ ଶସ୍ତା ରାଜନୀତି ବନ୍ଦ କରନ୍ତୁ । ସେମାନେ ନିଜ ଦଳ ପରିଚାଳିତ କେନ୍ଦ୍ର ସରକାରଙ୍କୁ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବା ଏବଂ ଓବିସିଙ୍କ ପାଇଁ ଜାତି ଭିତ୍ତିକ ଗଣନା ତୁରନ୍ତ କରିବାକୁ କୁହନ୍ତୁ । ଯଦି ସଂରକ୍ଷଣ ସୀମା ୫୦%ରୁ ଅଧିକ ପାଇଁ କେନ୍ଦ୍ରୀୟ ଆଇନ୍ ଆସିବ ନାହିଁ ଏବଂ ଓବିସିଙ୍କ ପାଇଁ ଜାତିଭିତ୍ତିକ ଜନଗଣନା ହେବ ନାହିଁ ତେବେ ଓବିସି ସମ୍ପ୍ରଦାୟ ଓଡିଶା ବିଜେପିକୁ କେବେ ହେଲେ କ୍ଷମା କରିବେ ନାହିଁ ବୋଲି ସୁଶ୍ରୀ ସାହୁ କହିଛନ୍ତି ।
BJD Statement on obc issue