କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ମିଛ କହୁଛନ୍ତି : ବିଜେଡି

ଏଭଳି ପ୍ରବଞ୍ଚନା ଓଡ଼ିଶାବାସୀଙ୍କ ନିକଟରେ କାମ ଦେବନାହିଁ : ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଡକ୍ଟର ସସ୍ମିତ ପାତ୍ର

ଭୁବନେଶ୍ୱର : ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ବିଜେପି କର୍ମକର୍ତ୍ତାଙ୍କ ମନୋବଳ ବଢାଇବାପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି । ଏଭଳି ପ୍ରବଞ୍ଚନା ଓଡ଼ିଶାବାସୀଙ୍କ ନିକଟରେ କାମ ଦେବନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ରାଜ୍ୟ ବିଜେପି ପ୍ରଭାରୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଏଠାକୁ ଆସିଛନ୍ତି । ବିଶେଷକରି ବାଲେଶ୍ୱର ପରାଜୟ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି । ଡକ୍ଟର ପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଯଦି ଶ୍ରୀମତୀ ପୁରନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥାନ୍ତେ ତେବେ ଭଲ ହୋଇଥାନ୍ତା । ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା ବୃଦ୍ଧିପାଇଁ ଓଡିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଯେଉଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା ସେ ସଂକ୍ରାନ୍ତରେ ମତ ରଖିବାର ଥିଲା ।