ହାରିବା ଭୟରେ ବିଜେପିର ମିଛ ଅଭିଯୋଗ : ବିଜେଡି

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ହାରିବା ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ଏବେ ବିଜେଡି ବିରୁଦ୍ଧରେ ହିଂସାକାଣ୍ଡ ଭଳି ମିଛ ଅଭିଯୋଗ ଲଗାଇବା ଆରମ୍ଭ କରିଛି । ବାସ୍ତବରେ ପିପିଲିରେ ବିଜେପି ହିଁ ବିଜେଡି ଉପରେ ଆକ୍ରମଣ କରିଛି ଏବଂ ଏ ସଂକ୍ରାନ୍ତରେ ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ବିଜେପି ଅଭିଯୋଗର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶାବାସୀ ଭଲଭାବେ ଜାଣିଛନ୍ତି ବିଜେପି ନିର୍ବାଚନୀ ହିଂସା ସଂସ୍କୃତିକୁ ଏଠାକୁ ଆମଦାନୀ କରିବା ସହିତ ଓଡିଶାକୁ ଉତ୍ତରପ୍ରଦେଶ ଓ ବିହାରରେ ପରିଣତ କରିବାକୁ ଚାହୁଁଛି । ବିଜେପୁର ଉପନିର୍ବାଚନ ହେଉ କିମ୍ବା ୨୦୧୯ ସାଧାରଣ ନିର୍ବାଚନ, ନିର୍ବାଚନୀ ବ୍ୟବସ୍ଥାକୁ ଦୂଷିତ କରିବା ପାଇଁ ବିଜେପି ଓଡିଶାରେ ହିଂସା କରିଛି ।
କିଛିଦିନ ତଳେ ପିପିଲିରେ ଦୁଇଜଣ ବିଜେପି ନେତାଙ୍କ ଠାରୁ ୫୦ଲକ୍ଷ ଟଙ୍କା ଜବତ ହୋଇଥିଲା । ପିପିଲି ନିର୍ବାଚନରେ ହାରିବା ଭୟରେ ବିଜେପି ବେଆଇନ୍‍ ଅର୍ଥ ଜରିଆରେ ନିର୍ବାଚନକୁ ପ୍ରଭାବିତ ଲାଗି ଚେଷ୍ଟା କରୁଛି । ଓଡିଶାବାସୀ ଶାନ୍ତିପ୍ରିୟ ହୋଇଥିବାବେଳେ ବିଜେପି ଏବେ ଉତ୍ତରପ୍ରଦେଶ ଓ ବିହାରରୁ ହିଂସାକାଣ୍ଡ ଆମଦାନୀ କରିବାରେ ଲାଗିଛି । ହିଂସାକାଣ୍ଡ ପାଇଁ ବିଜେପି ବାରମ୍ବାର ଉପନିର୍ବାଚନରେ ହାରୁଥିବାବେଳେ ପୁଣିଥରେ ଏଭଳି କାର୍ଯ୍ୟପାଇଁ ପିପିଲି ଉପନିର୍ବାଚନରେ ହାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।