କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି : ରାୟଗଡ଼ାରେ ବିଜେଡିର ଆଦିବାସୀ ମହାସମାବେଶ

ରାୟଗଡ଼ା : ଆଦିବାସୀ ଉନ୍ନୟନ ପରିଷଦ ଗଠନ ପରେ ପ୍ରଥମଥର ପାଇଁ ଜିଲ୍ଲା ବିଜେଡି କରିଛି ଆଦିବାସୀ ମହାସମାବେଶ । ନିର୍ବାଚନ ଯେତେ ପାଖେଇ ଆସିବା ସହିତ ବିଭିନ୍ନ ଦଳଙ୍କ ଟାର୍ଗେଟରେ ଏବେ ଭୋଟର । ଆଦିବାସୀଙ୍କ ଜୀବନ ଜୀବିକା ସାଙ୍ଗକୁ ଭାଷା ସଂସ୍କୃତି ସୁରକ୍ଷା ଆଳରେ ୧୦ ହଜାରରୁ ଊଦ୍ଧ୍ୱର୍ ଅଦିବାସୀଙ୍କୁ ନେଇ ସ୍ଥାନୀୟ ତେଜସ୍ୱୀ ପଡ଼ିଆ ସମ୍ମୁଖରେ ଜିଲ୍ଲା ବିଜେଡି ଆୟୋଜନ କରିଛି ବିଶାଳ ଆଦିବାସୀ ସମାବେଶ ।

ଏକ ସ୍ୱତନ୍ତ୍ର ହେଲିକେପ୍ଟରରେ କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକରୁ ମନ୍ତ୍ରୀ ରମେଶ ମାଝୀ ଏବଂ ବିଜେଡିର ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଆସି ଜେକେ ହେଲିପ୍ୟାଡରେ ପହଞ୍ଚିବା ପରେ ଏକ ମୋଟର ସାଇକେଲ ରାଲିରେ ତାଙ୍କୁ ଜେକେରୁ ରାୟଗଡ଼ା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଅଣାଯାଇ ଥିଲା । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ଯୋଗ ଦେଇଥିବା ବେଳେ ବ୍ରହ୍ମଗିରି ବିଧାୟକ ତଥା ବିଜେଡିର ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଲୋକସଭା ସାଂସଦ ଝିନ ହିକକା, ରାଜ୍ୟସଭା ସାଂସଦ ଏନ୍ . ଭାସ୍କର ରାଓ, ଜିଲ୍ଲା ସଭାପତି ତଥା ରାୟଗଡ଼ା ବିଧାୟକ ଲାଲବିହାରୀ ହିମିରିକା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଏବଂ ରାଜ୍ୟ ଯେଜନା ବୋର୍ଡ ସଦସ୍ୟ ସୁଧିର ଦାସଙ୍କ ସମେତ ବହୁ ବରିଷ୍ଠ ନେତୃବର୍ଗ ଯୋଗ ଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ମାଝି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ବିଭିନ୍ନ ଯୋଜନାର କେନ୍ଦ୍ର ଅର୍ଥ ବନ୍ଦ କରିଦେବା ଫଳରେ ଓଡ଼ିଶା ବର୍ତ୍ତମାନ ବାର୍ଷିକ ୩୫ ହଜାର କେଟି ଟଙ୍କାର ଆର୍ଥିକ ବୋଝ ଦେଇ ଗତିକରୁଥିବା କହିଥିଲେ । ସେହିଭଳି ରାଜ୍ୟରେ ଆଦିବାସୀ ଅଞ୍ଚଳର ଭାଷା ସଂସ୍କୃତିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଦିବାସୀ ପରିଷଦ ଗଠନ କରି ରାଜ୍ୟସରକାର ପ୍ରତିବ୍ଲକକୁ ଦେଢ଼ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି ବୋଲି କହିବା ସହ ଏହି ସରକାର ଅମଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତିନୋଟି ମେଡିକାଲ କଲେଜ ପ୍ରତିଷ୍ଠା ଏହି ସରକାରଙ୍କ ବଡ଼ ଉପଳବ୍ଧି ବୋଲି ମନ୍ତ୍ରୀ ରମେଶ ମାଝୀ କହିଥିଲେ ।

ଏହି ଅବସରରେ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ନିଜ ବକ୍ତବ୍ୟରେ ବର୍ତ୍ତମାନ ରାଜ୍ୟରେ ଆଦିବାସୀମାନଙ୍କୁ ବିଭ୍ରାନ୍ତ କରାଯାଉ ଥିବା ଅଭିଯୋଗ କରିବା ସହ ରାଜ୍ୟର ନବୀନ ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧ ବୋଲି କହିଥିଲେ । ଆଦିବାସୀଙ୍କ ବିକାଶ ପାଇଁ ୩୦ ଟି ଜିଲ୍ଲା ମଧ୍ୟରୁ ବହୁଳମାତ୍ରାରେ ଆଦିବାସୀ ବସବାସ କରୁଥିବା ୯ ଟି ଜିଲ୍ଲାରେ ଆଦିବାସୀ ବିକାଶ ପରିଷଦ ଗଠନ କରି ତୃଣୂୁଳସ୍ତରରେ ବିକାଶ ପହଞ୍ଚାଇ ପାରଛନ୍ତି । ରାଜ୍ୟ ସରକାର ଜଙ୍ଗଲ ଜମିଠାରୁ ଆରମ୍ଭ କରି, ବିଜୁ ପକ୍କାଘର , ମଧୁବାବୁ ପେନସନ, ସାଙ୍ଗକୁ ଗାଁକୁ ଗାଁ ରାସ୍ତା ଯୋଡ଼ିବା ଦ୍ୱାରା ଆଜି ରାୟଗଡ଼ା ସମେତ ରାଜ୍ୟର ସବୁ ଜିଲ୍ଲାରେ ବିକାଶ ପହଞ୍ଚିଥିବା ସେ କହିଛନ୍ତି ।

ତେବେ ରାଜ୍ୟସଭା ସାଂସଦ ଭାସ୍କର ରାଓ ଭାଷଣ ପ୍ରସଙ୍ଗରେ ରାୟଗଡ଼ା ଜିଲ୍ଲାରେ ସବୁ ବେଳେ ଆଦିବାସୀ ବିଜେଡି ସହିତ ଥିଲେ ଏବେ ମଧ୍ୟ ଅଛନ୍ତି ବୋଲି କହିବା ସହ ଏହି ସରକାରଙ୍କ ସମୟରେ ଜିଲ୍ଲାର ଆଶାତୀତ ଉନ୍ନୟନ ହୋଇପାରିଥିବା ପ୍ରକାଶ କରିଛନ୍ତି । ତେବେ ଆଜିର ଏହି ସମାବେଶରେ ଆଗାମୀ ନିର୍ବାଚନର ଗନ୍ଧ ବେଶ ବାରିହୋଇ ପଡ଼ୁଥିବା ବେଳେ ଏତେ ସଂଖ୍ୟାରେ ଆଦିବାସୀ ସମାଗମକୁ ଦେଖି ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ।