୧୭ରେ ସୁରଟ ହେବ ବିଜେଡି ସୋ

ଭୁବନେଶ୍ବର : ଡିସେମ୍ବର ୧୭ ତାରିଖରେ ବିଜେଡି ସୁରଟରେ କରିବ ବିରାଟ ସମ୍ମିଳନୀ। ରାଜ୍ୟର ଟପ୍ ବିଜେଡି ନେତାମାନେ ଏକାଠି ହେବେ। ସୁରଟରେ ଥିବା ୭ଲକ୍ଷ ଓଡିଆଙ୍କ ଆଗରେ ହେବ ଶକ୍ତି ପ୍ରଦର୍ଶନ। ଏଥିପାଇଁ ବିଜେଡି ଏବେଠାରୁ ପ୍ରସ୍ତୁତିରେ ଲାଗି ପଡ଼ିଲେଣି ବିଜେଡିର ଷ୍ଟ୍ରାଟାଜିଷ୍ଟ ନେତାମାନେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜେଡିର ଶକ୍ତିବୃଦ୍ଧିରେ ଏହି ସମ୍ମିଳନୀ କୁଆଡ଼େ ସହାୟକ ହେବ ବୋଲି ଦଳର ନେତାମାନେ ଆଶା ରଖିଛନ୍ତି।

ହକି ସରିଲେ ହେବ ସୁରଟ ସୋ ।  ୧୬ ସରିବ ହକି ଇଭେଣ୍ଟ। ଆଉ ୧୭ରରେ ସୁରଟ ଚଲୋ । ନବୀନ ପୁରା ଫୌଜ ଧରି ସୁରଟରେ ପହଞ୍ଚିବେ। ସୁରଟର ପ୍ରାୟ ୭ ଲକ୍ଷ ଓଡିଆ ଭୋଟରଙ୍କ ଉପରେ ଆଖି ପକାଇଛି ବିଜେଡି । ଯେହେତୁ ଗଞ୍ଜାମ ଜିଲ୍ଲାରୁ କେବଳ ୪ ଲକ୍ଷରୁ ଅଧିକ ଓଡିଆ ସୁରଟରେ ଅଛନ୍ତି ସେଥିପାଇଁ ଗଞ୍ଜାମ ଜିଲ୍ଲାର ସବୁ ନେତା ମନ୍ତ୍ରୀଙ୍କୁ ସାଙ୍ଗରେ ଧରି ନବୀନ ସୁରଟ ଯିବେ । ଏହାବାଦ୍ ଦଳର କିଛି ଷ୍ଟାର ପ୍ରଚାରକ ବି ନବୀନଙ୍କ ସହ ଡାୟାସ ସେୟାର କରିବେ, କିଛି ଫିଲ୍ମ ଷ୍ଟାର ବି ଯିବେ। ଓଡିଆଙ୍କ ମନ ଭୁଲାଇବାକୁ ପ୍ରୟାସ କରିବେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶା ବାହାରେ ବିଶେଷକରି ସୁରଟରେ କାମ କରୁଥିବା ଶ୍ରମିକଙ୍କ ପାଇଁ କିଛି ବ୍ୟବସ୍ଥା ଘୋଷଣା କରିବା ଯୋଜନାରେ ଅଛନ୍ତି ନବୀନ ।

କିଛି ଦିନ ପୂର୍ବରୁ ସୁରଟ ଓଡ଼ିଆଙ୍କ ଏକ ଟିମ୍ ନବୀନଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ । ନବୀନ ସୁରଟ ଯିବାକୁ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ବିରୋଧି କିନ୍ତୁ ନବୀନଙ୍କ ସୁରଟ ଗସ୍ତ ପଛରେ ରାଜନୀତିର ଗନ୍ଧ ବାରିଛନ୍ତି । ଗୁଜରାଟରେ କାମ କରୁଥିବା ଶ୍ରମିକମାନେ ବିଜେଡି ବିରୋଧି ହୋଇଥିବାରୁ ସେମାନଙ୍କ ମନ ଜିଣଇବାକୁ ନବୀନ ପୁରା ପଲଟନ ନେଇ ସୁରଟ ଗସ୍ତ କରୁଛନ୍ତି ବୋଲି ବିରୋଧି ଅଭିଯୋଗ କରିଛନ୍ତି । କହିଛନ୍ତି, ନବୀନଙ୍କ ପପୁଲାରିଟି କମୁଥିବାରୁ ଏବେ ଓଡିଶାର ମା, ମାଟି ଛାଡି ଦାଦନ ଖଟୁଥିବା ଓଡିଆଙ୍କ କଥା ମନେ ପଡିଛି ବିଜେଡିର ।
ନବୀନ ଏକ ପ୍ରକାର ନିର୍ବାଚନ ମୈଦାନକୁ ଓହ୍ଲାଇବା ମୁଡ୍ ରେ । ସବୁ ବର୍ଗଙ୍କୁ ଖୁସି କରିବାକୁ ଯୋଜନା ପରେ ଯୋଜନା ଘୋଷଣା ଚାଲିଛି । ଏବେ ସୁରଟ ତଥା ରାଜ୍ୟ ବାହାରେ କାମ କରୁଥିବା ଓଡିଆଙ୍କୁ ଖୁସି କରିବାକୁ ବାହାରିଛନ୍ତି ନବୀନ ।