୧୦୪ତମ ବିଜୁ ଜୟନ୍ତୀ ସମାରୋହ ପକ୍ଷବ୍ୟାପୀ ପାଳନ କରିବ ବିଜୁ ଜନତା ଦଳ

ଭୁବନେଶ୍ୱର: ପ୍ରବାଦ ପୁରୁଷ ରାଷ୍ଟ୍ରନୀତିଜ୍ଞ ଇଣ୍ଡୋନେସିଆର ଭୂମିପୁତ୍ର ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ୍ ରଥୀ ଓଡ଼ିଶା ବିକାଶ ଭିତିଭୂମିର ଅନନ୍ୟ ସ୍ଥପତି ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଆସନ୍ତା ମାର୍ଚ୍ଚ ୫ ଠାରୁ ୧୫ଦିନ ବ୍ୟାପି ଗୋଟିଏ ପକ୍ଷ ଧରି ବିଜୁ ଜନତା ଦଳ ଓ ତାର ଛାମୁଆ ସଂଗଠନର କାର୍ଯ୍ୟକର୍ତା, ସଦସ୍ୟ ସଦସ୍ୟା ଓ ଶୁଭେଚ୍ଛୁ ଜନସାଧାରଣଙ୍କୁ ନେଇ ପାଳନ କରିବ ବୋଲି ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଶ୍ରୀମତୀ ଉଷା ଦେବୀ ରାଜ୍ୟ ବିଜୁ ଜନତା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ସଦିଚ୍ଛାରେ ନବୀନ ବାବୁଙ୍କ ନେତୃତ୍ୱରେ ଗଠିତ ସରକାର ମଧ୍ୟ ବିଜୁ ଜୟନ୍ତୀରେ ୨୦ବର୍ଷ ପୂରଣ କରିବ । ଏହି ପକ୍ଷ ପାଳନ ଅବସରରେ ବିଜୁ ବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଶାର ବିକାଶ ଯାତ୍ରା ସମ୍ପର୍କରେ ମଧ୍ୟ ଜନ ସାଧାରଣଙ୍କୁ ଅବଗତ କରାଯିବ । ସ୍ୱାଧୀନତା ସଂଗ୍ରାମର ରଥୀମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଗାଁକୁ କାମ ମା’କୁ ସମ୍ମାନ ବିଜୁ ବାବୁଙ୍କ ଥିଲା ଆହ୍ୱାନ । ଆଜି ବିଜୁ ଜନତା ଦଳ, ନବୀନ ବାବୁଙ୍କ ନେତୃତ୍ୱରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନେଇଥିବା କାର୍ଯ୍ୟକ୍ରମ ଏକ ନୀରବ ବିପ୍ଳବ ସୃଷ୍ଟି କରିଛି । ତେଣୁ ଏହି ପକ୍ଷ ପାଳନ ଅବସାରେ ବିଜୁ ମହିଳା ଦଳ ପକ୍ଷରୁ ମାର୍ଚ୍ଚ ୮ ତାରିଖ ଆନ୍ତର୍ଗାତିକ ମହିଳା ଦିବସଠାରୁ ମହିଳାମାନଙ୍କ ସମ୍ମିଳନୀ କରାଯାଇ ମହିଳାମାନଙ୍କ ବିକାଶ ଆଲୋଚନା ସହିତ ଗ୍ରାମାଂଚଳ ଓ ସହରାଂଚଳରେ ଥିବା ବିଭିନ୍ନ କ୍ଷେତ୍ରରେ କୃତବିଦ୍ୟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କୁହାଯାଇଛି ।

ଦଳର ଛାମୁଆ ସଂଗଠନମାନେ ଏଥିରେ ସାମିଲ ହେବେ ଓ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ରକ୍ତଦାନ ଭଳି ସାମାଜିକ ପ୍ରତିବଦ୍ଧତାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାର୍ଚ୍ଚ ୫ଠାରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଜୟନ୍ତୀ ଠାରୁ ଶ୍ରାଦ୍ଧ ଦିବସ ଯାଏଁ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ଗୁଡିକ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବ୍ଲକ ଓ ନଗରାଂଚଳରେ ହେବାପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି ।