ସାରଦାଙ୍କ ପାଇଁ ଓକିଲାତି କରୁଛନ୍ତି ଜେଲ୍‍ ଫେରନ୍ତା ଇରାଶିଷ : ବିଜେଡି

ଭୁବନେଶ୍ୱର : ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ବିଜେଡିର ଜବାବ । ଇରାଶିଷ ସାମ୍ବାଦିକ ସମ୍ମିଳନୀରେ କରିଥିବା ଅଭିଯୋଗର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ । ଚିନ୍ମୟ କହିଛନ୍ତି- ଇରାଶିଷ ଭଟଲି ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ । ତାଙ୍କ ନାଁରେ ୩୦୨ ଦଫା ସହ ଆର୍ମସ ଆଇନ୍ ଲାଗିଥିଲା । ୮ ମାସ ଜେଲରେ ରହି ଫେରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ସାରଦା ପ୍ରଧାନଙ୍କ ପାଇଁ ଓକିଲାତି କରିଛନ୍ତି ।

ଏକାଧିକ ଅପରାଧରେ ଜଡିତ ହୋଇ ଜେଲ୍‍ ଯାଇଥିବା ଓ ନିକଟରେ ରାଜଧାନୀରେ ଗଣ୍ଡଗୋଳ କରି ଫେରାର ଥିବା ବିଜେପି ନେତା ସାରଦା ପ୍ରଧାନଙ୍କ ପାଇଁ ଓକିଲାତି କରୁଥିବା ଇରାଶିଷ ଆଚାର୍ଯ୍ୟ ମଧ୍ୟ ଜଣେ ଜେଲ୍‍ ଫେରନ୍ତା । ଜଣେ ଅପରାଧିକୁ ସୁରକ୍ଷା ଦେବାପାଇଁ ଆଉ ଜଣେ ଅପରାଧି ଆସି ଓକିଲାତି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ।
ଶ୍ରୀ ସାହୁ କହିଛନ୍ତି ଯେ ସାରଦାଙ୍କ ସୁରକ୍ଷାରେ ଆଗକୁ ଆସି ଓକିଲାତି କରୁଥିବା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଭଟଲି ଗୁଳିକାଣ୍ଡରେ ସମ୍ପୃକ୍ତି ଥିବାରୁ ତାଙ୍କ ବିରୁଦ୍ଧରେ ଭଟଲି ଥାନାରେ ରୁଜୁ Case No.-77/2018 ଅନୁଯାୟୀ ହତ୍ୟା ଉଦ୍ୟମ ସହିତ ମାରଣାସ୍ତ୍ର ରଖିଥିବା ଅଭିଯୋଗରେ ୮ମାସ ଜେଲରେ ରହି ଫେରିଛନ୍ତି । ଅନ୍ୟ ପକ୍ଷରେ ସାରଦାଙ୍କ ଅପରାଧି ତାଲିକା ବି ବେଶ୍‍ ଲମ୍ବା । କୋଇଲା ଚୋରି ଠାରୁ ଆରମ୍ଭ କରି ଲୁହାପଥର ଚୋରି, ବାଲି ମାଫିଆକାର୍ଯ୍ୟ ଓ ଅପରାଧି ଟିଟୋକୁ ଜଗତ୍‍ସିଂହପୁରରେ ବେଆଇନ୍‍ ଭାବରେ ପେଟ୍ରୋଲ ପମ୍ପ ମାଲିକାନା କରାଇବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ନାମରେ ରହିଛି । ମାହାଙ୍ଗା ଥାନା Case No.-57/99 IPC Section 147, 148, 452, 354, 323, 336, 294, 506, 149,ଏବଂ GR.Case No- 209/99 IPC Section 336, 452, 294, 323, 326,379, 149  ଅନୁଯାୟୀ ସାରଦା ୨୨ଦିନ ଜେଲରେ ରହି ଫେରିଛନ୍ତି । ଏଭଳି ସ୍ଥିତିରେ ସାରଦାଙ୍କ ଭଳି ଜଣେ ଅପରାଧିକୁ ବଞ୍ଚାଇବାକୁ ଆଉ ଜଣେ ଅପରାଧି ଅଣ୍ଟା ଭିଡିଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ ଭଲ ହୋଇଥାନ୍ତା ଇରାଶିଷ ନିଜ ବକ୍ତବ୍ୟ ରଖିବା ପୂର୍ବରୁ ନିଜର ଅତୀତର ଅପରାଧିକ ଜୀବନକୁ ଥରେ ଚାହିଁ ଦେଖିଥାନ୍ତେ । ତା ହେଲେ ଏ ପ୍ରକାରର ମନଗଢା, ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ କରିନଥାନ୍ତେ । ସେହିଭଳି ବିଜେପିର ଆଉଜଣେ ଯୁବ ନେତ୍ରୀ ଉପାସନା ମହାପାତ୍ର ନିକଟରେ ଗୁଣ୍ଡାମାନଙ୍କ ଦ୍ୱାରା ରାଜଧାନୀର ନୂଆପଲ୍ଲୀରେ ଯେଉଁ ଅପରାଧିକ କାଣ୍ଡ ଭିଆଇଲେ ଓ ଥାନାରେ ମାମଲା ପରେ ଫେରାର ହୋଇଗଲେ, ସେହି ଘଟଣାରେ ମଧ୍ୟ ସାରଦା ପ୍ରଧାନ ଅଭିଯୁକ୍ତ ଅଛନ୍ତି । ଓଡିଶାବାସୀ ବିଜେପିର ଏଭଳି ହିଂସା ରାଜନୀତିକୁ କେବେ ବରଦାସ୍ତ କରିବେ ନାହିଁ ଏବଂ ଉଚିତ୍‍ ସମୟରେ ଠିକଣା ଜବାବ ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି।