ବିଜେପି ନେତାଙ୍କ ବିବୃତ୍ତିରେ ଓଡିଆ ଲୋକେ ଅପମାନିତ: ବିଜେଡି

ଭୁବନେଶ୍ୱର : ବିଜେପି ନେତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ତାଙ୍କର ମାନସିକ ସନ୍ତୁଳନ ହରାଇଛନ୍ତି ଏବଂ ସେଥିପାଇଁ ଏଭଳି ମିଥ୍ୟା, ଭିତ୍ତିହୀନ, ଅଯଥା ଅଭିଯୋଗ ସହିତ ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାହା ତାଙ୍କର ବୌଦ୍ଧିକ ଦେବାଳିଆ ପଣକୁ ପ୍ରକାଶ କରୁଛି । ଏହା କରିବାବେଳେ ସେ ଓଡିଆ ଜାତି ଏବଂ ଓଡିଆ ଲୋକଙ୍କୁ ଅପମାନିତ କରୁଛନ୍ତି । ସେ ତୁରନ୍ତ ଦେଶ ତଥା ବିଦେଶର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ଓଡିଆ ଲୋକଙ୍କୁ କ୍ଷମା ମାଗିବା ଉଚିତ୍‍ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଓମ୍‍ ପ୍ରକାଶ ସାହୁ ।
ଶ୍ରୀ ସାହୁ କହିଛନ୍ତି ଯେ ଏପରି ବିଦ୍ୱେଷ ପ୍ରଣୋଦିତ ଏବଂ ମିଥ୍ୟା ବିବୃତ୍ତି ଦେଇ ସେ କେବଳ ନିଜ ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁନାହାନ୍ତି, ଓଡିଶା ବିଜେପିକୁ ସେ ଓଡିଶାର ଲୋକଙ୍କ ସାମ୍ନାରେ ଉପହାସ କରୁଥିବା ଦଳରେ ପରିଣତ କରୁଛନ୍ତି ।
ସେ ଲଜ୍ଜାଜନକ ଭାବରେ ଆଇନର ଭୁଲ ବ୍ୟାଖ୍ୟା କରୁଛନ୍ତି ଏବଂ ନିଜର ରାଜନୈତିକ ଏଜେଣ୍ଡା ଅନୁଯାୟୀ ଏକ ଘଟଣାର ସତ୍ୟତାକୁ ବିକୃତ କରୁଛନ୍ତି ଯାହା ତାଙ୍କର ରାଜନୈତିକ କଥାବାର୍ତ୍ତାର ଅପରିପକ୍ୱତାକୁ ଦର୍ଶାଉଛି ଏବଂ ସେ ନିଜେ ସେଥିରେ ବୁଡିବା ନିଶ୍ଚିତ । ଶାସକ ଦଳକୁ ବିରୋଧୀ ସମାଲୋଚନା ଆବଶ୍ୟକ ଏବଂ ଏହା ଏକ ସୁସ୍ଥ ଗଣତନ୍ତ୍ରକୁ ଦର୍ଶାଇଥାଏ । କିନ୍ତୁ ଏ କ୍ଷେତ୍ରରେ ନିମ୍ନରୁଚି, ଅପମାନଜନକ, ଧମକପୂର୍ଣ୍ଣ ଏବଂ ଅଶାଳୀନ ଭାଷା ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ ।
ଆମେ ଜାଣୁ ଯେ ଓଡିଶା ବିଜେପିର ଅନେକ ଲୋକ ମଧ୍ୟ ଏଭଳି ଭାଷା ଏବଂ ଶ୍ରୀ ଆଚାର୍ଯ୍ୟଙ୍କ ନିମ୍ନ ସ୍ତରର ରାଜନୈତିକ କଥାବାର୍ତ୍ତାକୁ ପସନ୍ଦ କରନ୍ତି ନାହିଁ । ଆମେ ଆଶା କରୁଛୁ ଓଡିଶା ବିଜେପି ଏଭଳି ଦାୟିତ୍ୱହୀନ ବ୍ୟକ୍ତିଙ୍କୁ ରାଜନୈତିକ ବିବୃତ୍ତି ରଖିବାପାଇଁ ପଠାଇବାରୁ ବିରତ ରହିବେ ବୋଲି ଶ୍ରୀ ସାହୁ କହିଛନ୍ତି ।