ଓଡ଼ିଶାବାସୀ ଆମର ବସ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆମର ଦିଲ୍ଲୀରେ କେହି boss ନାହାନ୍ତି, ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ଆମର ଲଢ଼େଇ : ନବୀନ

ଭୁବନେଶ୍ୱର: ଓଡ଼ିଶାବାସୀ ଆମର ବସ୍, ଓଡ଼ିଶା ହକ୍ ପାଇଁ ଲଢ଼େଇ ଚାଲିଛି । ଯୁବ ବିଜେଡି କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ ଏହା କହିଛନ୍ତି ଵିଜୁ ଜନତା ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଜିତି କ୍ଷମତା ହାସଲ ଜାତୀୟ ଦଳର ଲକ୍ଷ୍ୟ । ଜାତୀୟ ଦଳର ରାଜ୍ୟମୁଖ୍ୟଙ୍କ ଲକ୍ଷ୍ୟ ଜାତୀୟ ନେତାଙ୍କୁ ଖୁସି କରିବା ।  ଜାତୀୟ ନେତାଙ୍କୁ ଖୁସି କରି ବଡ଼ ପଦବୀ ପାଇବା ସେମାନଙ୍କ ଲକ୍ଷ୍ୟ । ହିନ୍ଦୀ ଠାରୁ ଓଡ଼ିଆ ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମ ପାଇଁ ଯାହା ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦଳ ପାଇଁ ତାହା ନୁହେଁ । ପୂର୍ବରୁ କଂଗ୍ରେସ ସରକାର କେନ୍ଦ୍ର ରିମୋଟ କଂଟ୍ରୋଲରେ ଚାଲୁଥିଲା । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ କେନ୍ଦ୍ରର ରିମୋଟରେ ଚାଲୁଛନ୍ତି ।
ଜାତୀୟ ଦଳ କଂଗ୍ରେସ ଓ ବିଜେପିକୁ ନବୀନ ଟାର୍ଗେଟ୍ କରିଛନ୍ତି । ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ଆମର ଲଢ଼େଇ । ଜାତୀୟ ନୁହେଁ ଆଞ୍ଚଳିକ ଦଳ ହିଁ ରାଜ୍ୟବାସୀଙ୍କ ପାଇଁ ଲଢ଼େଇ କରେ । ବିଜେଡି ରାଜ୍ୟ ଯୁବ ସମାଜର ଆଶା, ଅଭିଳାଷ ପୂରଣ କରିପାରିବ । ବିଜେଡି ହିଁ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବ ବୋଲି ନବୀନ କହିଛନ୍ତି । ଓଡ଼ିଆ ଭାଷା, କଳା ସଂସ୍କୃତି ଅନନ୍ୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି ।

bjd president cm naveen pattnaik address people of odisha in bjd yuva brigade meeting

ଵିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀଣୀ ବୈଠକକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି ।
ଯୁବ ଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି । ତେଣୁ ଆପଣମାନଙ୍କ ଜରିଆରେ ଓଡିଶାର ଯୁବ ବନ୍ଧୁ ମାନଙ୍କୁ ମୋ ମନ କଥା କହୁଛି।
ଆମ ଓଡିଶା ସ୍ବତନ୍ତ୍ର (Unique) କାହିଁକି ?
ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ – ସେଥିପାଇଁ ଓଡିଆ ଭାଷା ସ୍ବତନ୍ତ୍ର ।
ଆମ କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର ।
ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର ।
ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା ।
ମହାନଦୀ ଆମ ଜୀବନ ରେଖା ।
ମହାନଦୀର ପାଣି ପ୍ରତି ଓଡିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି ।
ଆମ ଓଡିଶା ପ୍ରଚୁର ଖଣିଜ ସଂପଦରେ ଭରପୂର ॥
ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି।
ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି ।
ଓଡିଶାର ଏହି ସ୍ବତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ତ୍ୟାଗ କରିଛନ୍ତି ।
ଆମ ପାଇଁ ଲଢେଇ କରି ଆମକୁ ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି ।
ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ କଣ ?
ନିର୍ବାଚନ ଜିତିବା । କ୍ଷମତା ଅଧିକାର କରିବା ଏବଂ କେନ୍ଦ୍ରରେ ସରକାର ଗଢିବା ।
ଜାତୀୟ ଦଳର ରାଜ୍ୟ ନେତୃତ୍ବର ମୁଖ୍ୟ ଲକ୍ଷ୍ୟ କଣ ?
ସେମାନଙ୍କର ମୂଳ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ବକୁ ଖୁସି କରିବା ଏବଂ ମନ୍ତ୍ରୀ ହେବା ବା କିଛି ବଡ ପଦବୀ ପାଇବା ।
ଇତିହାସ କହୁଛି ଯେ ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି – Mainstreaming agenda.
କେବଳ ଏହି mainstreaming ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ ।
ଏଥିପାଇଁ ସେମାନଙ୍କର ନୀତି (strategy) ହେଉଛି ଗୋଟିଏ ଭାଷା – ହିନ୍ଦୀ ।
ଗୋଟିଏ ସଂସ୍କୃତି ।
ଗୋଟିଏ ନୀତି, ଯାହାକୁ ବଡ ବଡ ରାଜ୍ୟ ମାନଙ୍କ ପାଇଁ ସୁବିଧା ହେବ।
ଏବଂ ତା ପରେ ସେମାନେ ଅନ୍ୟ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି।
ଜାତୀୟ ଦଳମାନେ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ସହିତ compromise କରିଥାନ୍ତି ।
ଆମ ପାଇଁ ଆମ ଭାଷା ଓଡିଆ, ହିନ୍ଦୀ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ।
ଆମ ପାଇଁ ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର ।
ଆମ ପାଇଁ ଓଡିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଂଗୀତ ।
ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା ।
ଆମ ପାଇଁ ଆଦିବାସୀ ମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି।
ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ବସ୍ତରୀୟ ।
କିନ୍ତୁ, ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ ।
ଆମର ସ୍ବତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତା ମାନଙ୍କର voice ନାହିଁ ।
ଏବଂ ଜାତୀୟ ଦଳର centralised hierarchyରେ ଏ ବିଷୟରେ ଉଠାଇବା ପାଇଁ ଇଚ୍ଛା ବି ନାହିଁ ।
ରାଜ୍ୟର କଂଗ୍ରେସ ସରକାର ସବୁବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ବାରା ଚାଲୁଥିଲା ।
ବିଜେପି ଶାସିତ ରାଜ୍ୟ ମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ବର ନିର୍ଦ୍ଦେଶରେ କାମ କରୁଛନ୍ତି ।
ଏହାକୁ ଗୋଟିଏ ଆଞ୍ଚଳିକ ଦଳ ଦ୍ବାରା ପରିଚାଳିତ ଓଡିଶା ସହିତ ତୁଳନା କରନ୍ତୁ ।
ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ଓଡିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି ।
ଆମର ଦିଲ୍ଲୀରେ କେହି boss ନାହାନ୍ତି ।
ଓଡିଶାବାସୀ ହେଉଛନ୍ତି ଆମର boss ।
ଆମେ କେବଳ ଓଡିଶାବାସୀଙ୍କ ପାଇଁ କାମ କରୁଛୁ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଛୁ ।
ମହାନଦୀ ପାଣି ପାଇଁ ଆମେ ଲଢେଇ କରୁଛୁ ।
ଆମେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଲଢେଇ କରୁଛୁ ।
କୋଶଳୀ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ସାମିଲ କରିବା ପାଇଁ ଲଢେଇ କରୁଛୁ ।
ଓଡିଶାର ଖଣିଜ ସଂପଦର ଲାଭ ଯେପରି ଓଡିଶା ଓ ଓଡିଶାବାସୀ ପାଇବେ, ସେଥିପାଇଁ ଆମେ ଲଢେଇ କରୁଛୁ ।
ପ୍ରାୟ ପ୍ରତି ବର୍ଷ ଓଡିଶା ବଡ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି ।
ଆମର ସ୍ବତନ୍ତ୍ର ଭୌଗଳିକ ଅବସ୍ଥିତି ପାଇଁ ଏହା ଘଟୁଛି ।
ଉଭୟ ଜାତୀୟ ଦଳ, ବିଜେପି ଓ କଂଗ୍ରେସ, ସେମାନଙ୍କ manifestoରେ special category statusକୁ ଏକ ନମ୍ବରରେ ରଖିଥିଲେ।
କିନ୍ତୁ ନିର୍ବାଚନ ପରେ ଏହି ଦାବୀକୁ ସହଜରେ ଭୁଲିଗଲେ ।
କିନ୍ତୁ ବି.ଜେ.ଡି ଏଥିପାଇଁ ଲଢେଇ ଜାରି ରଖିବ।
ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ବ୍ୟବହାର ବିଷୟ ସବୁବେଳେ ଉଠାଇବ ।
ଗୋଟିଏ ସ୍ବତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ ହେଉଛି – ଓଡିଶାର ସ୍ବତନ୍ତ୍ର ପରିଚୟର ସୁରକ୍ଷା ଏବଂ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ ।
ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ଲୋକମାନଙ୍କ ପାଇଁ ଲଢେଇ କରେ ।
ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ସ୍ବତନ୍ତ୍ର ଓଡିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି ।
ମୋର ଏହି ବାର୍ତ୍ତା କେବଳ ଆପଣ ମାନଙ୍କ ପାଇଁ ନୁହେଁ ।
ଏହା ସାରା ଓଡିଶାର ଯୁବ ସମାଜ ପାଇଁ ।
ସାରା ଓଡିଶାର ଭବିଷ୍ୟତ ପୀଢି ପାଇଁ ।
ମୋ କଥା ଭଲ ଭାବରେ ମନେ ରଖନ୍ତୁ ।
କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ ।
କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ।
ନଚେତ୍‌, ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ।
ବିଜୁ ଜନତା ଦଳ ଓଡିଶାବାସୀଙ୍କ ବଳ ।
ବନ୍ଦେ ଉତ୍କଳ ଜନନୀ

bjd president cm naveen pattnaik address people of odisha in bjd yuva brigade meeting

bjd president cm naveen pattnaik address people of odisha in bjd yuva brigade meeting