ସୂର୍ଯ୍ୟୋପରାଗ ଯୋଗୁଁ ବିଜେଡି ପ୍ରତିଷ୍ଠା ଦିବସର କାର୍ଯ୍ୟସୂଚୀରେ ପରିବର୍ତନ

ଭୁବନେଶ୍ୱର: ଆସନ୍ତାକାଲି ସୂର୍ଯ୍ୟୋପରାଗ ଯୋଗୁଁ ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚୀରେ କିଛିଟା ପରିବର୍ତନ କରାଯାଇଛି । ଏ ନେଇ ଦଳର ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆସନ୍ତା ୨୬ତାରିଖରେ ବିଜେଡି ତା’ର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ତେବେ ସେହିଦିନ ଅର୍ଥାତ ଡିସେମ୍ୱର ୨୬ ତାରିଖ ସୂର୍ଯ୍ୟୋପରାଗ ଯୋଗୁଁ ଏଥର ପ୍ରତିଷ୍ଠା ଦିବସ ସମାରୋହ ସକାଳ ପରିବର୍ତେ ଅପରାହ୍ନ ୪ଟା ପରଠୁ ପାଳନ ନିମନ୍ତେ ନିଷ୍ପତି ନିଆଯାଇଛି ।

ଚଳିତଥର ସମସ୍ତ ନିର୍ବାଚନମଣ୍ଡଳୀସ୍ତରରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳୀୟ କର୍ମକର୍ତାମାନଙ୍କୁ ପରାମର୍ଶ ଦିଆଯାଇଛି । ସୂର୍ଯ୍ୟୋପରାଗକୁ ଦୃଷ୍ଟିରେ ରଖି ଦଳର କର୍ମକର୍ତାମାନେ ପ୍ରତିଷ୍ଠା ଦିବସ ସମାରୋହକୁ ଅପରାହ୍ନ ୪ଟା ପରଠୁ ପାଳନ କରିବାପାଇଁ ଅନୁରୋଧ କରିଥିଲେ, କର୍ମକର୍ତାଙ୍କ ଅନୁରୋଧକୁ ରକ୍ଷା କରି ଏହାକୁ ଯଥାରୀତି ଭାବରେ ଅପରାହ୍ନ ୪ଟା ପରଠୁ ପାଳନ ପାଇଁ ଅନୁରୋଧ କରାଯାଇଛି ।

ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଦଳର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସନ୍ଧ୍ୟା ସମୟରେ ପାଳନ ହେବ ଓ ସେଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ସୂର୍ଯ୍ୟୋପରାଗ  ପାଳନ କରାଯାଉଥିବାରୁ ଦିନବେଳା ପ୍ରତିଷ୍ଠା ଦିବସ ପାଳନରେ କର୍ମୀମାନଙ୍କ ମଧ୍ୟରେ ସମସ୍ୟା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଦଳ ଚଳିତଥର ଏଭଳି ନିଷ୍ପତି ନେଇଛି ବୋଲି ସ୍ପଷ୍ଟ କରିଛନ୍ତି ଦଳୀୟ ମୁଖପାତ୍ର ପ୍ରତାପ ଦେବ ।