ବିଷ୍ଣୁ ଉବାଚ : ଦାମ ମଲା କଙ୍କଡ଼ା- ବିଷ୍ଣୁ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ଦୁଇ ବରିଷ୍ଠ ନେତା ଡା. ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ କଳି ତୁଟିବାର ନାଁ ନେଉନାହିଁ । ଆଜି ପୁଣି ଉଭୟ ନେତା ପରସ୍ପରକୁ ଦୋଷାରୋପ କରିଛନ୍ତି । ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କୁ ପୁଣି ନିଶାନା କରିଛନ୍ତି ବିଜେଡିରୁ ବହିଷ୍କୃତ ନେତା ଡା. ଦାମୋଦର ରାଉତ । ଦାମ କହିଛନ୍ତି, ବିଷ୍ଣୁ ହେଉଛନ୍ତି ଜଣେ ଘୃଣିତ ଓ ଦୁର୍ନୀତିଗସ୍ତ ବ୍ୟକ୍ତି । ଜଗତସିଂହପୁରରେ ଲୋକେ ତାଙ୍କୁ ଭଲ ପାଆନ୍ତି ନାହିଁ । କେବଳ ଦୁର୍ନୀତିଗ୍ରସ୍ତ ନୁହନ୍ତି, ସେ ଜଣେ ନଷ୍ଟ ଚରିତ୍ରର ବ୍ୟକ୍ତି । ବାର୍ଦ୍ଧକ୍ୟ ଭତ୍ତା କରାଇଦେବା ପାଇଁ ମଧ୍ୟ ବିଷ୍ଣୁ ପଇସା ନିଅନ୍ତି ବୋଲି କହିଛନ୍ତି ଦାମ । ଏପରିକି ଜଗତସିଂହପୁର ଛାଡ଼ିଲେ ତାଙ୍କ ଜୀବନରେ କେବେ ଅନ୍ୟ ସ୍ଥାନରେ ସେ ସଭା କରିଛନ୍ତି କି ବୋଲି ଡା. ରାଉତ ବିଷ୍ଣୁଙ୍କୁ ପ୍ରଶ୍ନ କରିଛନ୍ତି । ଜିଲ୍ଲା ସଭାପତି ଭାବରେ ସେ କେବେ ପାରାଦୀପ ଲୋକଙ୍କ କଥା ବୁଝିଛନ୍ତି କି ବୋଲି ଡା. ରାଉତ ପ୍ରଶ୍ନ କରିଛନ୍ତି । ସେମାନଙ୍କ ସମ୍ପର୍କରେ କହିଲେ ମୋ ବ୍ୟକ୍ତିତ୍ୱ ସମ୍ପର୍କରେ ଆଞ୍ଚ ଆସିବ ବୋଲି କହିଛନ୍ତି ଦାମ ।

ଅନ୍ୟପକ୍ଷରେ ଦାମଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି ବିଷ୍ଣୁ । ବିଷ୍ଣୁ କହିଛନ୍ତି, ମୋ ଚରିତ୍ର ବିଷୟରେ ସାରା ଓଡ଼ିଶାବାସୀ ଜାଣିଛନ୍ତି । ଯଦି ଜଣେ ଦୁର୍ନୀତିଗ୍ରସ୍ତ ଲୋକ ଏବଂ ଖରାପ ଚରିତ୍ର ବ୍ୟକ୍ତି ମୋର ପର୍ଦ୍ଦାଫାସ୍ କଲେ ସେଥିରେ ମୋର କିଛି ଅବସାଦ ନାହିଁ ବୋଲି କହିଛନ୍ତି ବିଷ୍ଣୁ । ମଲା କଙ୍କଡ଼ାର ଓଲଟିବାକୁ ବଳ ନାହିଁ । ସିଏ ଯେତେ ବଡ଼ ସଭା କରନ୍ତୁ, ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ । ତେଣୁ ମୋତେ ସମାଲୋଚନା କରି ଯିଏ ଖୁସି ପାଉଛି, ସେ କରୁଥାଉ ବୋଲି ପାଲଟା ଜବାବ ଦେଇଛନ୍ତି ବିଷ୍ଣୁ ଦାସ ।