ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ବିଜୁ ଜୟନ୍ତୀ : ଦଳର ସାଂସଦ, ବିଧାୟକ ଓ କର୍ମକର୍ତ୍ତାଙ୍କୁ ଚିଠି ଲେଖିଲେ ନବୀନ
ବିଜେଡି ସରକାରଙ୍କ ଦୁଇ ଦଶନ୍ଧିର ସଫଳତା ସମାବେଶରେ ହେବ ଆଲୋଚନା
ଭୁବନେଶ୍ୱର : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ମାର୍ଚ୍ଚ ୫ ତାରିଖରେ ଧୁମ୍ ଧାମ୍ରେ ହେବ ବିଜୁ ଜୟନ୍ତୀ ପାଳିତ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଓଡ଼ିଶାର ଜନସାଧାରଣଙ୍କ ସହ ମହାସମାରୋହରେ ପାଳନ କରାଯିବ ବିଜୁ ଜୟନ୍ତୀ । ବିଜୁ ଜନତା ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବ । ବିଜେଡି ସରକାରଙ୍କ ଦୁଇ ଦଶନ୍ଧିର ସଫଳତା ସମାବେଶରେ ହେବ ଆଲୋଚନା । ଏହି ବୈଠକରେ ଦଳର ସମସ୍ତ ସଦସ୍ୟ ତଥା ଛାତ୍ରଛାତ୍ରୀ ଯୁବନେତା, ଯୁବନେତ୍ରୀ ଯୋଗଦେବେ ।
ରାଜ୍ୟର ବିକାଶ ଦିଗରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ତାଙ୍କରି ମାର୍ଗଦର୍ଶନରେ ଓଡ଼ିଶା ଅବିରତ ବିକାଶ ଦିଗରେ ଆଗେଇ ଚାଲିଛି । ସେ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ଅନେକ କିଛି ଅବଦାନ ଦେଇଛନ୍ତି । ଓଡ଼ିଶାରେ ସ୍ୱଚ୍ଛଶାସନ, ଦାରିଦ୍ର୍ୟ ଦୂରିକରଣଠାରୁ ଆରମ୍ଭ କରି ‘ମୋ ସରକାର’ ଲାଗୁ, ମହିଳା ଶସକ୍ତିକରଣ ଦିଗରେ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ତାହା ହେଉଛି କେବଳ ବିଜୁ ବାବୁ ଦର୍ଶିତ ମାର୍ଗ । ଏହି କ୍ରମରେ ପ୍ରଶାସନିକ ତଥା ବିକାଶ ଧାରାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ଏକ ନୂତନ ଓଡ଼ିଶା ଗଠନର ଲକ୍ଷ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଖାଲି ସେତିକି ନୁହେଁ, ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମହିଳା ଶାଖା ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯିବ । ସେଥିରେ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଦଳ ସୁପ୍ରିମୋ କହିଛନ୍ତି ।
ଅନ୍ୟପଟେ କୋଭିଡ୍ ମହାମାରୀ ପରିସ୍ଥିତିରେ ଓଡ଼ିଶାବାସୀ ସମେତ ଦଳୀୟ କର୍ମୀ ଯେଉଁଭଳି ଧୈର୍ଯ୍ୟ, ତ୍ୟାଗ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଦଳ ସୁପ୍ରିମୋ । କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ସମସ୍ତଙ୍କ ତ୍ୟାଗ, ନିଷ୍ଠା ଏବଂ ସହଯୋଗ ପାଇଁ ସାରା ଦେଶରେ ଓଡ଼ିଶା ଆଜି ପୁଣି ଏକ ପରିଚୟ ପାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଖୁବ୍ଶୀଘ୍ର ରାଜ୍ୟରେ ବୟସ୍କଙ୍କୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ୬୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ଖେଲି ସେତିକି ନୁହେଁ ପରେ ପରେ ଅନ୍ୟ ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ । ବିଜୁ ବାବୁଙ୍କ ଜନ୍ମ ଦିବସରେ ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ଦଳୀୟ, ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନିମନ୍ତେ ପତିଜ୍ଞାବଦ୍ଧ ହେବା ପାଇଁ ଦଳର ପ୍ରତ୍ୟେକ ସଦସ୍ୟ ଆଗେଇ ଆସିବା ପାଇଁ ସୁପ୍ରିମୋ ଆହ୍ୱାନ କରିଛନ୍ତି ।