ସରକାରଙ୍କ ସଫଳ କୋଭିଡ ପରିଚାଳନାରେ ବିଜେପି ଇର୍ଷାନ୍ୱିତ : ବିଜେଡି

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ସମଗ୍ର ଦେଶକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଣ ସହିତ ସଫଳ କୋଭିଡ ପରିଚାଳନା ପାଇଁ ଦେଶ ବିଦେଶରୁ ଓଡିଶା ସରକାରଙ୍କୁ ପ୍ରଶଂସା କରାଯାଉଥିବାବେଳେ ବିଜେପି ଏଥିରେ ଇର୍ଷାନ୍ୱିତ ହୋଇପଡିଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ବିଜେପି ନେତ୍ରୀ ଅଭ୍ୟାସଗତ ଭାବରେ ଆଜି ପୁଣିଥରେ ଓଡିଶାବାସୀଙ୍କୁ ମିଛ ଗପ ଶୁଣାଇ ଭଣ୍ଡେଇବାକୁ ଅପଚେଷ୍ଟା କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟସେବା ପାଇଁ ସରକାରଙ୍କର ୮୫୦୦ କୋଟି ଟଙ୍କାର ଘୋଷଣାକୁ ସେ ହଜମ କରିନପାରି ଆଜି ପୁଣିଥରେ ସର୍ବସାଧାରଣରେ ଶସ୍ତା ମନ୍ତବ୍ୟ ରଖି ଲୋକହସା ହୋଇଛନ୍ତି ।
ବାଲେଶ୍ୱର ଓ ପିପିଲି ଉପନିର୍ବାଚନରେ ଟିକେଟ୍ ନପାଇବାର କଷ୍ଟ ଆଜି ମଧ୍ୟ ତାଙ୍କ ମନରୁ ଯାଇନାହିଁ । ଭୋକ ବିକଳରେ ତାଟିଆ କାମୁଡିଲା ଭଳି ବିଜେପି ନେତ୍ରୀ ହତାଶ ହୋଇ ଓଡିଶାବାସୀଙ୍କୁ ବାରମ୍ବାର ଏଭଳି ଗପ ଶୁଣାଇବାରେ ଲାଗିଛନ୍ତି । ନିଜର ରାଜନୈତିକ ଅଭିସନ୍ଧି ପୂରଣ ପାଇଁ ସରକାରଙ୍କ ସଫଳ କାର୍ଯ୍ୟକୁ ବିରୋଧ କରି ବିଜେପିର ଏଭଳି ମନଗଢା ଓ ମିଥ୍ୟା ପ୍ରଚାରକୁ ଓଡିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ ବୋଲି ସୁଶ୍ରୀ ସାହୁ ଚେତାଇ ଦେଇଛନ୍ତି ।