ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି ବନ୍ଦକରୁ: ବିଜେଡି

ଭୁବନେଶ୍ୱର : ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନ କରିବାକୁ ବିଭିନ୍ନ ରାଜନୈତିକ ଦଳ ବିଶେଷକରି ବିଜେପିକୁ ବାରମ୍ବାର ଅନୁରୋଧ କରିବା ସତ୍ତେ୍ୱ ଦଳ ଏଭଳି ହୀନ ରାଜନୀତିରୁ ବିରତ ହେଉନାହିଁ । ଏଭଳି ଘଟଣାକୁ ନେଇ ରାଜନୀତି କରାଗଲେ ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକ ନିର୍ଯାତନାର ଶିକାର ହେବେ ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି, ଶ୍ରୀମୟୀ ମିଶ୍ର ଏବଂ ସୁଲତା ଦେଓ । ବିଜେଡ଼ିର ମୁଖପାତ୍ରମାନେ କହିଛନ୍ତି ଯେ, ଏଭଳି ଜଘନ୍ୟ ଅପରାଧରେ ଲିପ୍ତ ଅପରାଧିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ ବାରମ୍ବାର ଅନୁରୋଧ ସତ୍ତେ୍ୱ ବିଜେପି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛି । ଏହା ମାମଲାକୁ ବାଟବଣା କରିବା ସହିତ ଅତି ତଳସ୍ତରର ରାଜନୀତିକୁ ଦର୍ଶାଉଛି ।
ଶ୍ରୀମତୀ ଦେଓ ଓ ଶ୍ରୀମତୀ ମିଶ୍ର କହିଛନ୍ତି ଏଭଳି ସମ୍ବେଦନଶୀଳ ଘଟଣାରେ ପୂର୍ବରୁ ଓଡ଼ିଶାରେ କୌଣସି ଜାତୀୟ ଦଳ ନିମ୍ନସ୍ତରର ରାଜନୀତି କରିବାର ନଜିର ନାହିଁ । ବିଜେପିର ଏଭଳି ଆଚରଣ ଯୋଗୁଁ ଓଡ଼ିଶାବାସୀ ନିକଟ ଅତୀତରେ ଦଳକୁ ପରାଜୟର ସ୍ୱାଦ ଚଖାଇଥିବାବେଳେ ଆଗାମୀ ଦିନରେ ମଧ୍ୟ ଦଳ ଏଭଳି ସ୍ଥିତିର ବାରମ୍ବାର ସାମ୍ନା କରିବ ବୋଲି ଶ୍ରୀ ମହାନ୍ତି ସତର୍କ କରାଇ ଦେଇଛନ୍ତି । ତେଣୁ ବିଜେଡ଼ି ଆଶା କରୁଛି ଯେ, ବିଜେପି ନେତାମାନଙ୍କର ଜ୍ଞାନ ଉଦୟ ହେବା ସହିତ ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି କରିବାରୁ ସେମାନେ ବିରତ ରହିବେ ।