ରାଜନୀତି ପାଇଁ ଅତି ନିମ୍ନ ସ୍ତରକୁ ଯାଉଛି ବିଜେପି: ବିଜେଡି

ଭୁବନେଶ୍ୱର : ବିଜେପିର ଆଜିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ପ୍ରମାଣ କରିଛି ଯେ ବିଜେପି ନେତାମାନେ ରାଜନୀତିରେ ତିଷ୍ଠି ରହିବା ପାଇଁ କିଭଳି ଟିଭିରେ ମୁହଁ ଦେଖାଇବାକୁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ନୁହେଁ ବରଂ ନିଜର ସ୍ୱାର୍ଥ ଜଡିତ ରାଜନୈତିକ ଲାଭ ପାଇଁ ଏହି ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଟିଭିରେ ଦେଖାଦେବା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ସାହୁ କହିଛନ୍ତି ଯେ ଆଜି ଓଡ଼ିଶା ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପାଇଁ କୌଣସି ନେତାଙ୍କୁ ଖୋଜି ପାଇଲା ନାହିଁ ଏବଂ ଶେଷରେ ଇରାସିସ୍ ଆଚାର୍ଯ୍ୟ ନାମକ ଜଣେ ହତ୍ୟା ମାମଲାରେ ଜଡିତ ଅପରାଧୀ ଏଥିପାଇଁ ମିଳିଲେ, ଯିଏ କି ସଂଯୋଗ ବଶତଃ ବିଜେପିରେ ଅଛନ୍ତି ।
ଏହା ଅତ୍ୟନ୍ତ ପରିତାପର ବିଷୟ ଯେ ପୀଡିତାଙ୍କୁ ନ୍ୟାୟ ଦାବିରେ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ଗିରଫ ହୋଇ ଜେଲରେ ଥିବା ଜଣେ ଅପରାଧୀଙ୍କୁ ପାଇବା ପାଇଁ ଓଡିଶା ବିଜେପି ନିମ୍ନ ସ୍ତରକୁ ଖସିଯାଇଛି ।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ପଛରେ ବିଜେପିର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଖାଉଟି ସାମଗ୍ରୀର ମୂଲ୍ୟ ବୃଦ୍ଧି, ଇନ୍ଧନ ମୂଲ୍ୟ ବୃଦ୍ଧି, ଚାଷୀଙ୍କ କ୍ରୋଧ, ଜାତୀୟ ବେକାରୀ ଭଳି ବାସ୍ତବ ଜନ ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ଅନ୍ୟ ଆଡେ ହଟାଇବା ବୋଲି ଶ୍ରୀ ସାହୁ କହିଛନ୍ତି ।