୩୧ରୁସଂସଦ ବଜେଟ ଅଧିବେଶନ : ବିଜେଡି ସଂସଦୀୟ ଦଳ ବୈଠକରେ ରଣନୀତି ପ୍ରସ୍ତୁତ
ରାଜ୍ୟ ସାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ବ
ଭୁବନେଶ୍ବର : ଜାତୀୟ ଜନସଂଖ୍ୟା ପଞ୍ଜିକା- NPR କୁ ସଂସଦରେ ବିରୋଧ କରିବନି ବିଜେଡି। ଏଥିରେ ଥିବା କ୍ଲଜ 13/2କୁ ଇଚ୍ଛାଧୀନ କରାଯାଇଥିବାରୁ ବାପାମାଙ୍କ ଜନ୍ମ ବିଷୟରେ ସୂଚନା ଦେବା ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ। ସେଥିପାଇଁ NPRକୁ ସମର୍ଥନ କରିବା ଲାଗି ନିଷ୍ପତ୍ତି ନେଇଛି ବିଜେଡି। ଆଜି ନବୀନ ନିବାସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି । ବଜେଟ ଅଧିବେଶନରେ ସଂସଦର ଉଭୟ ଗୃହରେ ବିଜେଡିର ରଣନୀତି ଏବଂ ଆଭିମୁଖ୍ୟ କଣ ରହିବ ସେନେଇ ଆଲୋଚନା ହୋଇଛି। ପୂର୍ବରୁ ଜିଏସି ବାବଦକୁ ବାକି ଥିବା ଅର୍ଥ ଏବଂ ଅଧପନ୍ତରିଆ ହୋଇ ରହିଥିବା ରେଳ ପ୍ରକଳ୍ପକୁ ଶେଷ କରିବାକୁ ଦାବି କରିବ ଦଳ। ସେହିଭଳି ମହାନଦୀ ପୋଲାଭରମ ଭଳି ଆନ୍ତରାଜ୍ୟ ନଦୀଜଳ ବିବାଦ ଉଠାଇବା ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ନିଷ୍ପତ୍ତି ହୋଇଛି। ୨୦୨୧ ଜନ ଗଣନାରେ ଜାତି ଭିତ୍ତିକ ପରିସଂଖ୍ୟାନ ପାଇଁ ବ୍ୟବସ୍ଥା କରିବାକୁ ବିଜେଡି ସଂସଦରେ ଦାବି କରିବ। ସେହିଭଳି କୋଲ ରୟାଲଟି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିବାରୁ ସେ ପ୍ରସଙ୍ଗ ଆଉ ଉଠାଯିବ ନାହିଁ ବୋଲି ସାଂସଦ ପିନାକୀ ମିଶ୍ର କହିଛନ୍ତି। ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବ ।
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ଆଲୋଚନା ହୋଇଛି। ନାଗରିକତା ଆଇନକୁ ଦଳ ସମର୍ଥନ କରୁଥିବାବେଳେ ରାଜ୍ୟରେ ଏନ୍ଆର୍ସି ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବା ପିନାକୀ କହିଛନ୍ତି।
ଲୋକଙ୍କ ହିତ ପାଇଁ ବିଧାୟକଙ୍କ ସହ ସମନ୍ୱୟ ରଖି କାମ କରିବାକୁ ସବୁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ନବୀନ। ସଂସଦରେ ସାଂସଦ ମାନଙ୍କର ପରଫର୍ମାନ୍ସ କିପରି ରହିବ ସେନେଇ ନିଜେ ସୁପ୍ରିମୋ ନଜର ରଖିବେ ବୋଲି କହିଛନ୍ତି । ପ୍ରତି ୨ ମାସରେ ପରଫରମାନ୍ସ ରିପୋର୍ଟ ଦେବାକୁ ସବୁ ସାଂସଦଙ୍କୁ କୁହାଯାଇଛି। ଏହି ବୈଠକରେ ରାଜ୍ୟସଭା ଓ ଲୋକସଭାର ସବୁ ସାଂସଦ ଉପସ୍ଥିତ ଥିଲେ