ବିଜେଡିର ପଦଯାତ୍ରା ଆରମ୍ଭ , ବିଜେପି ଫମ୍ପା ଆୱାଜ କରୁଛି : ନବୀନ

ଭୁବନେଶ୍ବର : ନବୀନ ଫୁଙ୍କିଲେ ୨୦୧୯ ନିର୍ବାଚନ ପାଇଁ ବିଗୁଲ୍ । ଆଜିଠୁ ବିଜେଡିର ପଦଯାତ୍ରା ଆରମ୍ଭ କରି ନବୀନ ଟାର୍ଗେଟ କରିଛନ୍ତି ବିଜେପିକୁ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଉଠାଇ ନବୀନ କହିଛନ୍ତି ବିଜେପି ଫମ୍ପା ଆୱାଜ କରୁଛି । ୨୦୧୪ରେ ବିଜେପିର ପ୍ରତିଶ୍ରୁତିକୁ ମନେ ପକାଇ ଦେଇଛନ୍ତି।  ସେହିଭଳି ରାଜ୍ୟ ସରକାରଙ୍କ ୪ ମାଇଲଖୁଣ୍ଟ କଥା ବି କହିଛନ୍ତି ।

ଚଳିତ ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଏକମାସ ଧରି ଚାଲିବ । ରାଜ୍ୟସ୍ତରୀୟ ପଦଯାତ୍ରାକୁ ଆଜି ପବିତ୍ର ଗାନ୍ଧି ଜୟନ୍ତୀରେ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝରଣା ସାହି (ଶିଶୁ ଭବନ ଛକ ନିକଟସ୍ଥ), ବିଏମ୍‍ସି ୱାର୍ଡ ନଂ-୫୩ ଠାରେ ଶୁଭାରମ୍ଭ କରିଛନ୍ତି । ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ପଦଯାତ୍ରା ଚାଲିବ । ଏହାକୁ ସଫଳ କରିବା ପାଇଁ ମୁଁ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ, ଭାଇଭଉଣୀ ଓ ଓଡ଼ିଶାବାସୀଙ୍କ ସହଯୋଗ କାମନା କରୁଛି । ଆଜି ସାରା ବିଶ୍ୱ ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମହାତ୍ମା ଗାନ୍ଧିଙ୍କ ବିଚାରଧାରା ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି ଓ ରହିଥିବ ।

ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭରସାର ପ୍ରତୀକ ହେଉଛି ବିଜୁ ଜନତା ଦଳ ସରକାର । ଆମେ ସବୁବେଳେ ଲୋକଙ୍କ ସାଥୀରେ ଅଛୁ ଓ ଲୋକଙ୍କ ପାଇଁ କାମ କରିଚାଲିଛୁ । ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ଲୋକମାନେ ଜାଣୁଛନ୍ତି କିଏ ପ୍ରତିଶ୍ରୁତି ପାଳନ କରୁଛି, କିଏ କରୁନାହିଁ । ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛୁ । ଖାଦ୍ୟ ସୁରକ୍ଷା, ଆଶ୍ରୟ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା । ଆମ ସଫଳତାର ଚାରିଗୋଟି ସ୍ତମ୍ଭ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ସବୁ ଗରିବ ଲୋକ ସୁବିଧା ପାଇବା ଦରକାର । କିନ୍ତୁ ତା’ହେଲା ନାହିଁ । ଖାଦ୍ୟ ନିରାପତ୍ତାରୁ ବହୁ ଲୋକ ବାଦ୍‍ ପଡିଲେ । ତେଣୁ ରାଜ୍ୟ ସରକାର ଆଜିଠାରୁ ନିଜର ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ୨୫ଲକ୍ଷ ଲୋକ ଏହି ସୁବିଧା ପାଇବେ । ସେହିପରି ଗତ ୪ବର୍ଷରେ ରାଜ୍ୟରେ ୧୮ଲକ୍ଷ ପକ୍କା ଘର ତିଆରି କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେହିପରି ଏକ ଐତିହାସିକ ପଦକ୍ଷେପ । ବିପିଏଲ୍‍, ଏପିଏଲ୍‍ ସମସ୍ତେ ଏ ସୁବିଧା ପାଇବେ । ଆମର ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ସାରା ଦେଶରେ ମଡେଲ୍‍ ହୋଇଛି । ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ଆମର କାର୍ଯ୍ୟକ୍ରମ ଏକ ଭଲ ପଦକ୍ଷେପ । ଓଡ଼ିଶାବାସୀଙ୍କ ସେବା ପାଇଁ ରାଜ୍ୟ ସରକାରଙ୍କର କେବେ ବି ପାଣ୍ଠିର ଅଭାବ ରହିନାହିଁ । ବିଜେପିର ଇସ୍ତାହାରରେ ଏକ ନମ୍ବର କାର୍ଯ୍ୟକ୍ରମ ଥିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା । ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି । ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି ଆଜି ଶ୍ରୀ ପଟ୍ଟନାୟକ କହିଥିଲେ ।

????????????????????????????????????

ସୂଚନାଯୋଗ୍ୟ, ଜନ ସଂପର୍କ ପଦଯାତ୍ରା ସମୟରେ ଦଳର କର୍ମକର୍ତ୍ତା / ନିର୍ବାଚିତ ପ୍ରତିନିଧି / ୱାର୍ଡ କମିଟିର ସଦସ୍ୟ/ସଦସ୍ୟା ଓ ସମସ୍ତ ଦଳୀୟ ସଂଗଠନର କର୍ମକର୍ତ୍ତାମାନେ ପଦଯାତ୍ରାରେ ଯାଇ ପ୍ରତ୍ୟେକ ଘରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କ ସଫଳତାର ବାର୍ତ୍ତା ପ୍ରସାର ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଯଥା- ‘ଆମ ଗାଁ ଆମ ବିକାଶ’ ‘ଆମ ସହର ଆମ ଉନ୍ନତି’ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା, କୃଷକ ଓ ଛାତ୍ରଙ୍କ ପାଇଁ ୧% ସୁଧରେ ଋଣ ବ୍ୟବସ୍ଥା, ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ, ୪ବର୍ଷରେ ୧୭ଲକ୍ଷ ପକ୍କା ଘର ନିର୍ମାଣ, ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଭୂମି ଓ ସଂପତ୍ତି ଅଧିକାର, କୃଷକଙ୍କ ଆୟ, କୃଷି ଉତ୍ପାଦନ ୨ଗୁଣ ହେବା, ୭ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା, ରାଜ୍ୟର ଯୁବକ-ଯୁବତୀଙ୍କ ସଶକ୍ତିକରଣ, ‘ମିଶନ ଶକ୍ତି’ ଓ ମହିଳା ସଶକ୍ତିକରଣ, ଆମ ରାଜ୍ୟର ଅନୁକରଣୀୟ ‘ସାମାଜିକ ସୁରକ୍ଷା ଯୋଜନା’ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ । ଗତ ନିର୍ବାଚନ ସମୟରେ ବିଜୁ ଜନତା ଦଳ ଦେଇଥିବା ପ୍ରତିଶ୍ରୁତିର ପରିପୂରଣ ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଇବେ ।
ସେହିପରି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ବିଭିନ୍ନ ସମୟରେ ଅବହେଳା, ପକ୍ଷପାତିତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରୁଥିବା ଆମର ଦାବି ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବେ । ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା, କେବିକେକୁ ସ୍ୱତନ୍ତ୍ର ଅନୁଦାନ, ବିଭିନ୍ନ ଜନହିତକର ଯୋଜନାରୁ ଅର୍ଥ କାଟ୍‍, ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରି ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଲାଗୁ କରି ଚାଷୀଙ୍କୁ ନ୍ୟାୟ ଦେବା, ମହାନଦୀ ଓ ପୋଲାଭରମ୍‍ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିବା, ଭାଟ୍‍ ଓ ବିମୁଦ୍ରୀକରଣର କୁପ୍ରଭାବ, ମୁଦ୍ରାର ବିନିମୟ ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ଏବଂ ସଂପ୍ରତି ଅହେତୁକ ପେଟ୍ରୋଲ, ଡିଜେଲ୍‍ ଓ ରନ୍ଧନଗ୍ୟାସ୍‍ ଦର ବୃଦ୍ଧି କରି ସାଧାରଣ ଖାଉଟି-ଗୃହିଣୀଙ୍କ ଉପରେ ବୋଝ ଲଦିବା ସଂପର୍କରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବେ ।

????????????????????????????????????

ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବାଶିଷ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ସଂଖ୍ୟାଲଘୁ ସେଲ୍‍ ଆବାହକ ମୁନ୍ନା ଖାଁ, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ସୁଜିତ ସ୍ୱାଇଁ, ମହିଳା ବିଜେଡି ଉପ-ସଭାନେତ୍ରୀ ମହାମାୟା ସ୍ୱାଇଁ, ଭୁବନେଶ୍ୱର ସଭାନେତ୍ରୀ ଭାରତୀ ସିଂହ, ସୁଲତା ଦେଓ, ଦଳର ମୁଖପାତ୍ର ସୁଲୋଚନା ଦାସ, ବହୁ କର୍ପୋରେଟର୍‍, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ୧୦,୦୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ, ଶୁଭେଚ୍ଛୁ ଯୋଗଦେଇଥିଲେ ।

ବିଜେପି କହିଛି ଓଡିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ ଯୋଗ୍ୟ ନୁହେଁ ଜାଣି ବି ନବୀନ ଫମ୍ପା ଆୱାଜ୍ କରୁଛନ୍ତି । ୟୁପିଏ ଅପେକ୍ଷା ଏନଡିଏରେ ଅଧିକ ଅନୁଦାନ ମିଳିଛି। କଂଗ୍ରେସ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛି । କେନ୍ଦ୍ରରେ ନବୀନ ମନ୍ତ୍ରୀ ଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥା କାହିଁକି ଉଠାଇଲେନି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।