ବହିଷ୍କାର ପରେ ଲୋକଙ୍କୁ ମିଛ କହୁଛନ୍ତି ପ୍ରଦୀପ : ବିଜେଡି

ଭୁବନେଶ୍ୱର : ଜନ ବିରୋଧି କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ଯେହେତୁ ସିଏ ବେଆଇନ୍‍ କାର୍ଯ୍ୟ କରିଛନ୍ତି ଆଇନ୍‍ ତାଙ୍କ କଥା ବିଚାର କରିବ । ତେବେ ଦଳରୁ ବିଦା ହେବାପରେ ସେ ଏବେ ସର୍ବସାଧାରଣରେ ବିଷ ଓଗାଳିବା ସହିତ ଲୋକଙ୍କୁ ମିଛ କହି ବୁଲୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ।
ଶ୍ରୀମତୀ ଦେଓ କହିଛନ୍ତି ଯେ ଆକାଶ ପାଠକ ଟାଟା ମୋଟର୍ସରେ ଏମ୍‍ଡି ଥିବା ନେଇ ସେ ମିଛ ଦାବି କରିବା ସହିତ ଗଞ୍ଜାମବାସୀ କରୋନା ସହିତ ଲଢୁଥିବାବେଳେ ଶ୍ରୀ ପାଣିଗ୍ରାହୀ ପାଠକ ପରିବାର ସହିତ ଚାଟାର୍ଡ ବିମାନରେ ଯାଇ ଓଡିଶା ଲୋକଙ୍କୁ ଠକିଥିବା ପଇସାରେ ତାରକା ହୋଟେଲରେ ମଉଜ କରୁଥିଲେ ।
ଶ୍ରୀମତୀ ଦେଓ କହିଛନ୍ତି ଯେ ତାଙ୍କ ବ୍ୟାଙ୍କ୍‍ ଖାତା ଦର୍ଶାଯାଉଛି ଯେ ଗତ ୬ମାସ ମଧ୍ୟରେ ସେ ଅଢେଇ କୋଟିରୁ ଅଧିକ ଅର୍ଥ ମଦ ଓ ବାଲିରେ ସମ୍ପୃକ୍ତ ଥିବା ଲୋକଙ୍କ ଠାରୁ ଆଦାୟ କରିଛନ୍ତି । ଏଥିସହିତ ଆକାଶ ପାଠକକୁ ଜାଲିଆତି କରି ଟାଟା କମ୍ପାନୀର ଏମ୍‍ଡି ଦର୍ଶାଇବା ସହିତ ଟାଟାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଗଞ୍ଜାମବାସୀଙ୍କ ଠାରୁ ମଧ୍ୟ ବିପୁଳ ଅର୍ଥ ଆଦାୟ କରିଛନ୍ତି । ଓଡିଶାବାସୀ ପ୍ରଦୀପ ପାଣିଗ୍ରାହୀଙ୍କର ଏହି ଉଦ୍ଦେଶ୍ୟ ପ୍ରଣୋଦିତ ଅନିୟମିତତା ଦେଖୁଛନ୍ତି ଯାହାକୁ ସେମାନେ ସହଜରେ ଭୁଲିପାରିବେ ନାହିଁ ।
ବିଜେଡି ମୁଖପାତ୍ର କହିଛନ୍ତି ଯେ ମୁଁ ବି ଜଣେ ମା’ । ତେବେ ମୁଁ ଜାଣିପାରୁନାହିଁ ଯେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ କିଭଳି ନିଜର ଏକମାତ୍ର ଝିଅକୁ ସବୁ ଜାଣିଶୁଣି ନିଆଁକୁ ଫିଙ୍ଗିଲା ଭଳି ଟାଟା କମ୍ପାନୀରେ ଚାକିରି ନଥିବା ଆକାଶ ପାଠକ ସହିତ ବାହା ଦେବାକୁ ଯାଉଥିଲେ । ଆକାଶ ପାଠକ ଠକେଇ ଓ ଜାଲିଆତି କରି ଗଞ୍ଜାମ ଜିଲ୍ଲାର ଯୁବକମାନଙ୍କୁ ସହଜରେ ଠକିଛନ୍ତି ଏବଂ ପ୍ରଦୀପ ପାଣିଗ୍ରାହୀ ଓ ନିଜ ପିତାଙ୍କ ବେଆଇନ୍‍ କାର୍ଯ୍ୟର କାର୍ପଟଦାର ସାଜିଛନ୍ତି । ତାଙ୍କର ଚାକିରି ନଥିବାବେଳେ ନିର୍ଲ୍ଲଜ ଭାବରେ ଲୋକଙ୍କୁ ମିଛ କହି ଚାଲିଛନ୍ତି ।
ଶ୍ରୀମତୀ ଦେଓ କହିଛନ୍ତି ଏମାନେ କିଭଳି ବାପ ମା’, ଯେଉଁମାନେ କି ନିଜ ଝିଅକୁ ଆକାଶ ପାଠକ ସହ ବିବାହ କରିବାକୁ ସ୍ଥିର କରିଛନ୍ତି ଯିଏ କି ଠକେଇ, ଜାଲିଆତି ଓ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ଏବେ ଜେଲ୍‍ରେ । କୁହାଯାଉଛି ଯେ ଲେକ୍‍ ପ୍ୟାଲେସ ହୋଟେଲରେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଓ ଆକାଶ ପାଠକର ବାହାଘର ପାଇଁ ୧୫କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଟଙ୍କା କାହାର ଥିଲା । ଏହି ଅର୍ଥ ଓଡିଶାର ଗରିବ, ଖଟିଖିଆ ଓ ବିସ୍ଥାପିତ ଲୋକଙ୍କର ଯାହା କି ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ଠକେଇ ଉପାୟରେ ସଂଗ୍ରହ କରାଯାଇଛି । ପ୍ରଦୀପ ପାଣିଗ୍ରାହୀ କହୁଥିବା ମିଛ ଓ ଅମୂଳକ କଥା ଲାଗି ବିଜୁ ଜନତାଦଳ ଦାୟୀ ନୁହେଁ । ଆଇନ୍‍ ଏବେ ତା ବାଟରେ ଯିବ ଏବଂ ଦୋଷୀମାନେ ଦଣ୍ଡ ପାଇବେ । ପ୍ରଦୀପ ପାଣିଗ୍ରାହୀ, ଆକାଶ ପାଠକ ଓ ଅଭୟ କାନ୍ତ ପାଠକଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଗଞ୍ଜାମ ଓ ଅନ୍ୟ ଜିଲ୍ଲାର ଗରିବ, ଖଟିଖିଆ ଓ ବିସ୍ଥାପିତ ଲୋକମାନଙ୍କୁ ନ୍ୟାୟ ମିଳିବ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।