ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପିର ବାତ୍ୟା ସମାଲୋଚନା : ବିଜେଡି

ଭୁବନେଶ୍ୱର : ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାର ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ରିଲିଫ ଓ ଥଇଥାନ କାର୍ଯ୍ୟ ଚଳାଇଛନ୍ତି । ସରକାରଙ୍କର ଏଭଳି କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଉଥିବାବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତା ମନମୋହନ ସାମଲ ବାତ୍ୟା ପରବର୍ତ୍ତୀ କାର୍ଯ୍ୟକୁ ନେଇ ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ବାତ୍ୟା ଯିବା ପରେ ପରେ ରାଜ୍ୟ ସରକାର ତୁରନ୍ତ ରିଲିଫ ଓ ଥଇଥାନ କାର୍ଯ୍ୟ ହାତକୁ ନେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ୭ଦିନ ପାଇଁ ମାଗଣା ଖାଦ୍ୟ ଯୋଗାଣ ସହିତ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇଛି । ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସରକାର ଯୋଗାଇ ଦେଇଛନ୍ତି । ତେବେ ରାଜ୍ୟ ସରକାର ଚଳାଇଥିବା ରିଲିଫ ଓ ଥଇଥାନ କାର୍ଯ୍ୟ ବାବଦରେ ବୋଧହୁଏ ଶ୍ରୀ ସାମଲ ଅବଗତ ନାହାନ୍ତି । ତେଣୁ ଏଭଳି ସମୟରେ ସରକାରଙ୍କ ସଫଳ କାର୍ଯ୍ୟକୁ ସମାଲୋଚନା କରିବା ବଦଳରେ ପ୍ରଶଂସା କରିବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।