କାଳିଆ ଯୋଜନାକୁ ନେଇ ବିଜେପି ଭୟଭୀତ: ବିଜେଡି

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ବିଜେପି ଭୟଭୀତ ହୋଇପଡିଛି । ଗତକାଲି ଚାଷୀମାନଙ୍କୁ କାଳିଆ ଯୋଜନାର ୨ୟ କସ୍ତି ଅର୍ଥ ଦେବାପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚାଷୀଙ୍କୁ ବିଭ୍ରାନ୍ତି ସହିତ ଯୋଜନା ବିରୁଦ୍ଧରେ କୁତ୍ସାରଟନା କରିଛି ସେଥିରୁ ତାହାର ଭୟ ସ୍ପଷ୍ଟ ବାରିହୋଇ ପଡୁଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି । ବିଜେପିର ଏଭଳି ବକ୍ତବ୍ୟରୁ ରାଜ୍ୟର ଚାଷୀମାନେ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ପାଆନ୍ତୁ ନାହିଁ ବୋଲି ଦଳ ଚାହୁଁଥିବା ବାରିହୋଇ ପଡୁଛି ଏବଂ ଏଭଳି ଚାଷୀ ବିରୋଧି ମନ୍ତବ୍ୟକୁ ସବୁ ସ୍ତରରେ ନିନ୍ଦା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ଡକ୍ଟର ପାତ୍ର କହଛି ନ୍ତି ଯେ ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କାଳିଆ ଯୋଜନାକୁ ଆର୍ନ୍ତଜାତୀୟ ସ୍ତରରେ ପ୍ରଶଂସା କରାଯାଉଥିବାବେଳେ ନିଜର ସ୍ଥିତି ରକ୍ଷା ପାଇଁ ବିଜେପି ଏହାକୁ ଯେଭଳି ବିରୋଧ କରୁଛି ତାହା ରାଜ୍ୟର ଚାଷୀକୂଳ ପ୍ରତି ଉପହାସ । ଦେଶର ପ୍ରତିଷ୍ଠିତ ଅର୍ଥନୀତିଜ୍ଞମାନଙ୍କ ସହିତ ପଞ୍ଚଦଶ ଅର୍ଥ କମିଶନ ମଧ୍ୟ କାଳିଆ ଯୋଜନାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ଯୋଜନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରାଯାଇଥିବାବେଳେ ଲକ୍ଷ ଲକ୍ଷ ଚାଷୀ ଏହାଦ୍ୱାରା ଉପକୃତ ହେଉଛନ୍ତି । ହେଲେ ହାତରେ କୌଣସି ପ୍ରସଙ୍ଗ ନଥିବାରୁ ନିଜର ସ୍ଥିତି ହରାଉଥିବା ବିଜେପି ତାହାର ପୁରୁଣା ଅଭ୍ୟାସ ଅନୁଯାୟୀ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଏଭଳି ଏକ ଚାଷୀ କଲ୍ୟାଣକାରୀ ଯୋଜନାକୁ ବିରୋଧ କରୁଛି । ରାଜ୍ୟର ଚାଷୀକୂଳ କାଳିଆ ଯୋଜନାରୁ ସୁଫଳ ପାଇ ଚାଲିଥିବାବେଳେ ସେମାନଙ୍କୁ ବିଭ୍ରାନ୍ତ ପାଇଁ ବିଜେପି ଯେଉଁ ହୀନ ଉଦ୍ୟମ ଚଳାଇଛି ସେଥିରେ ଆଦୌ ସଫଳ ହେବନାହିଁ ଏବଂ ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।