ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ତାଲିକାରେ ରହିଛି ବ୍ୟାଙ୍କ୍ । ଭାରତ ସରକାରଙ୍କ ଅଧିନରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାଙ୍କ୍ ଗୁଡିକ କାର୍ଯ୍ୟ କରିଥାଏ । ୟେସ୍ ବ୍ୟାଙ୍କ୍ ସିଡ୍ୟୁଲ ବ୍ୟାଙ୍କ୍ ହୋଇଥିବାବେଳେ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦେଇଥିବା ସାର୍ବଭୌମତ୍ୱ ଗ୍ୟାରେଣ୍ଟିକୁ ଉପଭୋଗ କରୁଛି । ବିଜେପି ମୁଖପାତ୍ର ପୃଥୀରାଜ ହରିଚନ୍ଦନ ଏହା ଭଲଭାବେ ଜାଣିଥିଲେ ମଧ୍ୟ ମିଥ୍ୟା ଏବଂ ଅବାସ୍ତବ ମନ୍ତବ୍ୟ ଦେଇ ନିୟମିତ ଭାବେ ଲୋକଙ୍କୁ ବିଭ୍ରାନ୍ତ ଲାଗି ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ୟେସ୍ ବ୍ୟାଙ୍କ୍ରେ ଜମା ଥିବା ଅର୍ଥର ସୁରକ୍ଷା ଓ ନିରାପତ୍ତାର ଦାୟିତ୍ୱ ହେଉଛି ବିଜେପି ପରିଚାଳିତ କେନ୍ଦ୍ର ସରକାରଙ୍କର । କାରଣ କେନ୍ଦ୍ର ସରକାର ହିଁ ଆଇନ୍ ଅନୁଯାୟୀ ଏଭଳି ବ୍ୟାଙ୍କ୍ ଗୁଡିକୁ ନିୟନ୍ତ୍ରଣ କରିଥାନ୍ତି । ଶ୍ରୀ ହରିଚନ୍ଦନ ଏହା ଭଲଭାବେ ଜାଣିଥିଲେ ମଧ୍ୟ ଏଠାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୟେସ୍ ବ୍ୟାଙ୍କ୍ରେ ଗଚ୍ଛିତ ଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅର୍ଥ ସହିତ ସାଧାରଣଲୋକଙ୍କ କୋଟି କୋଟି ଟଙ୍କାକୁ ମଧ୍ୟ କେନ୍ଦ୍ରରେ କ୍ଷମତାରେ ଥିବା ତାଙ୍କ ଦଳ ସୁରକ୍ଷା ଦେଇପାରି ନାହିଁ ।
ଏଠାରେ ସାମ୍ବାଦିକ ସମ୍ମିଳନୀ କରିବା ବଦଳରେ ଶ୍ରୀ ହରିଚନ୍ଦନ ନିଜ ଦଳର ଲୋକଙ୍କୁ ଧରି ଦିଲ୍ଲୀ ଯାଇ ସେଠାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଜଗନ୍ନାଥଙ୍କ ଅର୍ଥ କିଭଳି ସୁରକ୍ଷିତ ଭାବେ ଫେରିବ ତାହା ଉପରେ ପଦକ୍ଷେପ ନେବାକୁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି । ବିଜେପି ପରିଚାଳିତ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ୟେସ୍ ବ୍ୟାଙ୍କ୍ରେ ଗଚ୍ଛିତ ଶ୍ରୀଜଗନ୍ନାଥଙ୍କ ଅର୍ଥକୁ ଯଦି ସୁରକ୍ଷା ଦିଆନଯାଏ ତେବେ ଏଥିପାଇଁ ଓଡିଶାବାସୀ କେବେହେଲେ ବିଜେପିକୁ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମହାନ୍ତି ସତର୍କ କରାଇ ଦେଇଛନ୍ତି ।