ପଞ୍ଚାୟତକୁ କ୍ଷମତା ପ୍ରଦାନରେ ଓଡିଶା ଆଗରେ : ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍େୱ ର ରାଜ୍ୟରେ ଚାଲିଥିବା ବିଜେଡି ସରକାର ଅମଳରେ ହିଁ ପଞ୍ଚାୟତିରାଜ ସଂସ୍ଥା ଗୁଡିକରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇପାରିଛି । ଓଡିଶାର ଏଭଳି ପଦକ୍ଷେପ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି । ହେଲେ ଲୋକଙ୍କୁ ଭୁଲ୍‍ ସୂଚନା ଦେଇ ଭ୍ରମିତ କରିବାଲାଗି ବିଜେପି ଅପଚେଷ୍ଟା ଚଳାଇଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ଡକ୍ଟର ପାତ୍ର କହିଛନ୍ତି ଯେ ଏହି ଜାତୀୟ ଦଳର ଏଭଳି ଆଚରଣ ଦର୍ଶାଉଛି ଯେ ଓଡିଶାରେ ପଞ୍ଚାୟତିରାଜ ବ୍ୟବସା୍ଥ ର ସୁଦୃଢୀକରଣ ସହିତ ବିକାଶ କାର୍ଯ୍ୟ ସଂକ୍ରାନ୍ତରେ ବିଜେପି ଆଦୌ ଅବଗତ ନାହିଁ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ରାଜ୍ୟ ପଞ୍ଚାୟତ ଗୁଡିକରେ ନିର୍ବାଚନ ଲଢିବା କ୍ଷେତ୍ରରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତକୁ ବଢାଇ କେବଳ ମହିଳାଙ୍କୁ ସଶକ୍ତ କରିନାହାନ୍ତି ବରଂ ପଞ୍ଚାୟତିରାଜ ସଂସ୍ଥା ଗୁଡିକୁ ଅଧିକରୁ ଅଧିକ ମଝବୁତ କରିଛନ୍ତି ।

ଏପରିକି ଦେଶର ଅନେକ ବିଜେପି ଶାସିତ ରାଜ୍ୟ ମଧ୍ୟ ପଞ୍ଚାୟତିରାଜ ସଂସ୍ଥା ଗୁଡିକରେ ଏଭଳି ପଦକ୍ଷେପ ଗ୍ରହଣ କରିଥିବାର ନଜିର ନାହିଁ । ଏଭଳି ସକରାତ୍ମକ ପଦକ୍ଷେପରୁ ବିଜେପି ଶିକ୍ଷାଲାଭ କରିବା ଉଚିତ୍‍ । ହେଲେ ତାହା ନକରି ଉଦ୍ଦେଶ୍ୟମୂଳକ ଓ ଅବାସ୍ତବ ମନ୍ତବ୍ୟ ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତ ଲାଗି ଯେଉଁ ଉଦ୍ୟମ କରୁଛି ସେଥରୁ ନିବୃତ୍ତ ରହିବା ଉଚିତ୍‍ ବୋଲି ଡକ୍ଟର ପାତ୍ର କହିଛନ୍ତି ।