ଲୋକଙ୍କୁ ବିଭ୍ରାନ୍ତ ଉଦ୍ୟମରୁ ବିରତ ରହୁ ବିଜେପି: ବିଜେଡି

ଗୃହ ନିର୍ମାଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଲାଗି ପୁରସ୍କୃତ କରିଛି କେନ୍ଦ୍ର

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଓଡିଶାକୁ ଦିଲ୍ଲୀରେ ପୁରସ୍କୃତ କରୁଥିବାବେଳେ ଓଡିଶା ବିଜେପି କିନ୍ତୁ ଲୋକଙ୍କୁ ଭୁଲ୍‍ ସୂଚନା ଦେଇ ବିଭ୍ରାନ୍ତ ଲାଗି ବୃଥା ଉଦ୍ୟମ ଚଳାଇଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ)କୁ ଓଡିଶାରେ ସଫଳତାର ସହ କାର୍ଯ୍ୟକାରୀ କରି ଗାଁ ଗହଳିର ଲୋକଙ୍କୁ ପକ୍କାଘର ଯୋଗାଣ ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଓଡିଶାକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି । ହେଲେ ଗୋଟିଏ ପଟେ ବିଜେପି ସରକାର ଦିଲ୍ଲୀରେ ପୁରସ୍କୃତ କରୁଥିବାବେଳେ ଅନ୍ୟ ପଟେ କିନ୍ତୁ ରାଜ୍ୟ ବିଜେପି ନେତାମାନେ ବିଜେଡି ସରକାରର ଏଭଳି ଭଲ କାମକୁ ଭୁଲି ଯାଉଛନ୍ତି । ବିଜେପି ନେତାମାନେ ଗ୍ରାମାଞ୍ଚଳ ଗୃହ ନିର୍ମାଣ ସୂଚନା କେନ୍ଦ୍ର ସରକାରରୁ ସଂଗ୍ରହ କରି ଓଡିଶା ଲୋକଙ୍କୁ ବିଭ୍ରା ନ୍ତ କରିବାରୁ କ୍ଷାନ୍ତ ପାଇଁ ବିଜେଡି ଆଶା କରୁଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଏଭଳି ଦାୟିତ୍ୱହୀନ ଏବଂ ଅସତ୍ୟ ମନ୍ତବ୍ୟ ଦେବା ଫଳରେ ରାଜ୍ୟବାସୀଙ୍କ ନିକଟରେ ଓଡିଶା ବିଜେପି ତାହାର ବିଶ୍ୱସନୀୟତା ହରାଇ ପ୍ରତ୍ୟାଖ୍ୟାତ ହେଉଛି ଏବଂ ଏଭଳି ଆଚରଣରୁ ବିରତ ନ ରହିଲେ ଭବିଷ୍ୟତରେ ମଧ୍ୟ ରାଜ୍ୟବାସୀ ଏହି ଦଳକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ପାତ୍ର ସତର୍କ କରାଇ ଦେଇଛନ୍ତି ।