ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେହେଲେ ଦୁର୍ନୀତିକୁ ବରଦାସ୍ତ କରନ୍ତି ନାହିଁ । ଯିଏ ଯେତେବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ଦୁର୍ନୀତିରେ ଲିପ୍ତଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତାଙ୍କ ଆଭିମୁଖ୍ୟ ଅତ୍ୟନ୍ତ କଠୋର ବୋଲି ବିଜେପି ଅଭିଯୋଗର ଜବାବ ଦେଇ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଦୁର୍ନୀତିକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଦାୟିତ୍ୱହୀନ ମନ୍ତବ୍ୟର କୌଣସି ପ୍ରାସଙ୍ଗିକତା ନାହିଁ । ସେ ଅଧିକାଂଶ ସମୟ ରାଜ୍ୟ ବାହାରେ କାଟୁଥିବାରୁ ଓଡ଼ିଶା ସରକାରଙ୍କ ପଦକ୍ଷେପ ବିଷୟରେ ବୋଧହୁଏ ଠିକଣା ଭାବେ ଅବଗତ ନାହାନ୍ତି । ଦଳରେ ନିଜର ସ୍ଥିତି ନଥିବାରୁ ସେ ବାଧ୍ୟହୋଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ବିଜେଡି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ବିଜେପି ନେତାମାନେ କ’ଣ ଏହା ଚାହୁଁ ନାହାନ୍ତି ଏବଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ କାହିଁକି ସେମାନେ ଭୟଭୀତ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ତେଣୁ ପୃଥ୍ୱୀରାଜ ଏପରି ଭିତ୍ତିହୀନ ମନ୍ତବ୍ୟ ଦେବା ଆଗରୁ ପ୍ରକୃତ ତଥ୍ୟ ଅନୁଧ୍ୟାନ କରି ବକ୍ତବ୍ୟ ରଖିଲେ ଭଲ ହୁଅନ୍ତା ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।