ଅପରାଧିକ କାର୍ଯ୍ୟକୁ ନେଇ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ:ବିଜେଡି

ଭୁବନେଶ୍ୱର: ଗତକାଲି ରାଜଧାନୀରେ ଘଟିଥିବା ଆକ୍ରମଣ ଘଟଣା ହେଉଛି ସମ୍ପୂର୍ଣ୍ଣ ରୂପେ ଏକ ଅପରାଧିକ କାର୍ଯ୍ୟକଳାପ ଏବଂ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ପୁଲିସ୍‍ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଜେପି ନେତାମାନେ ମଧ୍ୟ ଏ ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି । ତେଣୁ ଏଭଳି ଏକ ଅପରାଧିକ ଘଟଣାକୁ ନେଇ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ଘଟଣା ସଂକ୍ରାନ୍ତରେ ସରକାର ଅବଗତ ହେବାପରେ କାର୍ଯ୍ୟରେ ଅବହେଳା ପାଇଁ ଜଣେ ପୁଲିସ୍‍ କର୍ମଚାରୀଙ୍କ ବିରୁଦ୍ଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ଜଡିତ ତିନିଜଣଙ୍କୁ ପୁଲିସ୍‍ ଗିରଫ କରିଛି । ତେଣୁ ଏଭଳି ଏକ ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଜେପି ରାଜନୀତି କରିବା ଉଚିତ୍‍ ନୁହେଁ । ବିଜେପି ହାତରେ ଏବେ କୌଣସି ପ୍ରସଙ୍ଗ ନଥିବାରୁ ଅପରାଧିକ କାର୍ଯ୍ୟକଳାପକୁ ନେଇ ଯେଭଳି ରାଜନୀତି କରୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡକ୍ଟର ପାତ୍ର କହିଛନ୍ତି ।