ମିଡିଆରେ ରହିବାପାଇଁ ହୀନ ରାଜନୀତି କରୁଛନ୍ତି ଲେଖାଶ୍ରୀ: ବିଜେଡି

ଭୁବନେଶ୍ୱର: ମିଡିଆରେ ତିଷ୍ଠି ରହିବାପାଇଁ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ବାରମ୍ବାର ମିଥ୍ୟା ଓ ମନଗଢା କାହାଣୀର ଆଶ୍ରୟ ନେଉଥିବାବେଳେ ଆଜି ସବୁ ସୀମା ଟପି ଯାଇଛନ୍ତି । ସ୍ମିତାରାଣୀ ମୃତ୍ୟୁ ଭଳି ଅତ୍ୟନ୍ତ ସ୍ପର୍ଷକାତର ଓ ସମ୍ବେଦନଶୀଳ ପ୍ରସଙ୍ଗରେ ଆଜି ସେ ଯେଉଁ ନିମ୍ନ ରୁଚିର ମନ୍ତବ୍ୟ ଦେଇଛନ୍ତି ତାହା ସବୁ ସ୍ତରରେ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ଦେଓ କହିଛନ୍ତି ଯେ ଲେଖାଶ୍ରୀ ୨୦୧୪ ମସିହାରେ ସରକାରୀ ଚାକିରି ଛାଡି ବିଜେଡି ଟିକଟ ପାଇବାପାଇଁ ନବୀନ ନିବାସକୁ ଦଉଡୁଥିଲେ । ଛଅ ମାସ କାଳ ଦଉଡିବାପରେ ସଫଳ ନହେବାରୁ ବିଜେପିରେ ଯୋଗଦେଲେ । ହେଲେ ଯାହା ଖବର ମିଳୁଛି ବିଜେପିରେ ମଧ୍ୟ ତାଙ୍କର ଏଭଳି ଆଚରଣକୁ କେହି ସମର୍ଥନ କରୁନାହାନ୍ତି । ଆମେ ବି ତାଙ୍କୁ ଗୁରୁତ୍ୱର ସହ ନେଉନାହୁ ଁ । ତାଙ୍କର ଏଭଳି ଆଚରଣ ପାଇଁ ଗତ ନିର୍ବାଚନରେ ତାଙ୍କୁ ବିଜେପି ଟିକଟ ଦେଲାନାହିଁ । ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିନମ୍ର ଅନୁରୋଧ ଯେ ସେମାନେ ଏଭଳି ମିଥ୍ୟା ଓ ମନଗଢା ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରନ୍ତୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ସମ୍ବେଦନଶୀଳ ମହିଳା ଘଟଣାରେ ରାଜନୀତି ନକରିବାପାଇଁ ବାରମ୍ବାର ଜନସାଧାରଣଙ୍କୁ ଅନୁରୋଧ କରି ଆସୁଛନ୍ତି । ଅତୀତରେ ରାଜ୍ୟର ମହିଳାଙ୍କ ଉପରେ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇଥିବା ଲେଖାଶ୍ରୀ ଆଜି ପୁଣିଥରେ ତାହାକୁ ଦୋହରାଇଛନ୍ତି । ମହିଳାମାନଙ୍କ ସମ୍ମାନର ସୁରକ୍ଷା ଓ ଗୋଟିଏ ଦାୟିତ୍ୱସମ୍ପନ୍ନ ଜାତୀୟ ଦଳ ହିସାବରେ ବିଜେପି ଏଭଳି ହୀନ ରାଜନୀତିରୁ ଦୂରେଇ ରହିବାପାଇଁ ଶ୍ରୀମତୀ ଦେଓ କହିଛନ୍ତି ।