ରାଜ୍ୟର ସଫଳତାରେ ବିଜେପି ଇର୍ଷାନ୍ୱିତ: ବିଜେଡ଼ି

ଭୁବନେଶ୍ୱର: ରାଜ୍ୟର ସଫଳତାରେ ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ହେବା ବଦଳରେ ଏହାକୁ ନେଇ ବିଜେପି ଇର୍ଷାନ୍ୱିତ ହେବା ସହିତ ଯେଭଳି ହୀନ ରାଜନୀତି କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହାଦ୍ୱାରା ରାଜ୍ୟର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହିତ ଆର୍ନ୍ତଜାତୀୟ ସ୍ତରରେ ଓଡିଶା ସରକାର ପୁରସ୍କୃତ ହୋଇଥିବାବେଳେ ବିଜେପି ଏଥିରେ ଅତ୍ୟନ୍ତ ଇର୍ଷାନ୍ୱିତ ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶର ଅନ୍ୟ କୌଣସି ବିଜେପି ଶାସିତ ରାଜ୍ୟ ଏଭଳି ପୁରସ୍କାର ପାଇନଥିବାରୁ ରାଜ୍ୟ ବିଜେପି ଏଥିରେ ଇର୍ଷାନ୍ୱିତ ହେଉଥିବା ଦଳୀୟ ମୁଖପାତ୍ରଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବାରି ହୋଇ ପଡୁଛି । ଏଭଳି ପୁରସ୍କାର ଓଡିଶା ପାଇଁ ଗର୍ବ ଓ ଆମେ ସମସ୍ତେ ଓଡିଶାବାସୀ । ତେଣୁ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହିବା ସହିତ ବିଜେପି ମୁଖପାତ୍ରମାନେ ଶାଳୀନତା ରକ୍ଷାକରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ୱାର୍ଲ୍ଡ ହାବିଟାଟ୍ ୧୯୮୭ ମସିହାରୁ ସାରା ବିଶ୍ୱରେ ବାସହୀନଙ୍କ ପାଇଁ ବାସଗୃହ ଯୋଗାଇ ଦେଉଥିବା ବିଭିନ୍ନ ଯୋଜନାକୁ ତର୍ଜମା କରି ଶ୍ରେଷ୍ଠ ବିବେଚିତ ଯୋଜନା ଗୁଡ଼ିକୁ ପୁରଷ୍କୃତ କରିଥାଏ । ଯାହା ଏହି ସଂସ୍ଥାର ବିଶ୍ୱସନୀୟତାକୁ ଦର୍ଶାଏ । ଓଡିଶା ଭଲ କାମ କରିଥିବାରୁ ପୁରସ୍କାର ପାଇଛି । ହେଲେ ବିଜେପି ନେତାମାନଙ୍କ ସମାଲୋଚନା ସେମାନଙ୍କର ଇର୍ଷା, ହତାଶା ଓ ନିମ୍ନରୁଚିତର ରାଜନୀତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।