୫-ଟିର ସଫଳତାରେ ଅପରାଜିତା ବିଚଳିତ: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ୫-ଟିର ସଫଳତାକୁ ଦେଖି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିଚଳିତ ଓ ବିବ୍ରତ ହୋଇ ପଡିଛନ୍ତି । ୫-ଟିର କାର୍ଯ୍ୟକାରିତାକୁ ନେଇ ସାଂସଦ ଦେଇଥିବା ବିବୃତ୍ତିର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ବିଜେପିରେ ନିଜର ପରିଚୟ ହରାଉଥିବାରୁ ହତାଶ ହୋଇ ଶ୍ରୀମତୀ ଷଡଙ୍ଗୀ ଏଭଳି ମନ୍ତବ୍ୟ ଦେଉଛନ୍ତି । ଡକ୍ଟର ପାତ୍ର କହିଛନ୍ତି ଯେ ପ୍ରଶାସିକାରୁ ରାଜନେତା ପାଲଟିଥିବା ଅପରାଜିତା ବେଳେବେଳେ ନିଜକୁ ପୂର୍ବତନ ପ୍ରଶାସିକା ମନେକରି ତାଙ୍କର ଜ୍ଞାନ ଗାରିମା ପ୍ରଦର୍ଶନ ପାଇଁ ଏଭଳି ବିବୃତ୍ତି ଦେଉଛନ୍ତି । ଏଥିରୁ ଯୋଜନାର ସଫଳତାର ସିଏ କିଭଳି ଇର୍ଷାନ୍ୱିତ ତାହା ସ୍ପଷ୍ଟ ବାରିହୋଇ ପଡୁଛି । ୫-ଟି କେବଳ ଓଡିଶାରେ ସଫଳ ହୋଇନାହିଁ, ଆଗାମୀ ଦିନରେ ବହୁ ବିଜେପି ଶାସିତ ରାଜ୍ୟ ସମେତ କେନ୍ଦ୍ର ସରକାର ମଧ୍ୟ ଓଡିଶାର ଏହି ମଡେଲକୁ ଗ୍ରହଣ କରିବାକୁ ଯାଉଛନ୍ତି । ତେଣୁ ସେଭଳି କ୍ଷେତ୍ରରେ ୫-ଟି ଭଳି ଲୋକାଭିମୁଖୀ ଯୋଜନାକୁ ଗୌଣ କରିବା ବଦଳରେ ସାଂସଦ ଏହାକୁ ସମର୍ଥନ କରିବା ଆବଶ୍ୟକ । ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର ରାଜ୍ୟ ପୂରପଲ୍ଲୀରେ ପହଞ୍ଚିଥିବାବେଳେ ଏଥିଯୋଗୁଁ ଲୋକଙ୍କ ଆତ୍ମବିଶ୍ୱାସ ବଢିବାରେ ଲାଗିଛି । ୫-ଟିର ସଫଳ କାର୍ଯ୍ୟକାରିତାକୁ ନେଇ ରାଜ୍ୟର ଜନସାଧାରଣ ଖୁସି ଥିବାବେଳେ ଓଡିଶା ବି ବେଶ୍‍ ଆଗକୁ ଆଗକୁ ବଢୁଥିବା ଡକ୍ଟର ପାତ୍ର କହିଛନ୍ତି ।