ମାହାଙ୍ଗା ଡବଲ ମର୍ଡର : ଅପରାଧି ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି-ବିଜେଡି

ହିଂସା ବିରୋଧରେ ବିଜୁ ଜନତା ଦଳ ଜିରୋ ଟରେଲାନ୍ସ ନୀତି : ମୁଖପାତ୍ର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡରକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ । ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିସାରିଲାଣି । କିନ୍ତୁ, ରାଜନୀତି ସରୁନି । ବିଜେପି ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପ୍ରେସମିଟର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ।

ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ ସାରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ ଅସ୍ତ୍ର ଦ୍ୱାରା ଆଘାତ କରିଛି । ବିଜେପିର ଓଡିଶା ପ୍ରଭାରୀଙ୍କୁ ଜବାବ ଦେଇ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ, ବିଜେଡି ସରକାର ହିଂସାକାଣ୍ଡ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିବା ସହିତ ଅପରାଧିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଯାହାକୁ ଓଡିଶାବାସୀ ପସନ୍ଦ କରିବା ସହିତ ପଞ୍ଚମଥର ପାଇଁ ବିଜେଡି ହାତରେ ରାଜ୍ୟ ଶାସନର ଡୋରି ଧରାଇଛନ୍ତି । ହେଲେ ବିଜେପିର ଓଡିଶା ପ୍ରଭାରୀ ଏ ସଂକ୍ରାନ୍ତରେ ଅବଗତ ନାହାନ୍ତି ।
ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ ପୀଡିତ ପରିବାରକୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ । ବିଜେଡି ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଡକ୍ଟର ପାତ୍ର କହିଛନ୍ତି ।