ନୂଆଦିଲ୍ଲୀ : ଦେଶରେ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇନି ସ୍ୱାମୀ ନାଥନ କମିଟି ରିପୋର୍ଟ । ରାଜ୍ୟ ସଭାରେ ସ୍ବାମୀନାଥନ କମିସନ ରିପୋର୍ଟକୁ ନେଇ ତଥ୍ୟ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବାମୀନାଥନ୍ କମିସନ୍ ରିପୋର୍ଟ କାର୍ଯ୍ୟକାରୀ ହୋଇନାହିଁ । କିନ୍ତୁ ଏହି ରିପୋର୍ଟର କାର୍ଯ୍ୟକାରିତା ଲାଗି ବିଜେଡି ଦାବି କରିଆସିଛି । କିନ୍ତୁ କେନ୍ଦ୍ର ସରକାର ଏହା ମାନିବାକୁ ନାରାଜ ବୋଲି ସେ କହିଛନ୍ତି । ତେବେ ବିଜୁ ଜନତା ଦଳ କାହିଁକି ଦାବି କରୁଛି, ଦେଶରେ ସ୍ବାମୀନାଥନ୍ କମିସନର କାର୍ଯ୍ୟକାରିତା ସ୍ଥିତି ଇତ୍ୟାଦି ନେଇ ମଧ୍ୟ ତଥ୍ୟ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ୍ ପାତ୍ର ।
ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ଏମଏସପିକୁ ନେଇ ସ୍ବାମୀନାଥନ ରିପୋର୍ଟକୁ ସରକାର କାର୍ଯ୍ୟକାରୀ କରିଛନ୍ତି ବୋଲି ରାଜ୍ୟ ସଭାରେ ତଥ୍ୟ ରଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ରିପୋର୍ଟ ଭଲ ଭାବେ ପଢ଼ି ପ୍ରସଙ୍ଗ ଉପରେ କହିବାକୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କହିଲେ ଧର୍ମେନ୍ଦ୍ର । କୃଷକଙ୍କ ଆୟ ଦୁଇ ଗୁଣାକୁ ନେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ଏହା ଇଥାନୋଲ ବ୍ଲେଣ୍ଡିଂ, କଂପ୍ରେସ୍ଡ ବାୟୁଗ୍ୟାସ୍ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଆୟ ବଢ଼ାଯାଇପାରିବ।
ସେ କହିଛନ୍ତି, ଅକ୍ଟୋବର ୨୦୨୦ରେ ସ୍ବାମୀନାଥନ୍ ନିଜେ କହିଥିଲେ ଯେ, ଉତ୍ପାଦନ ମୂଲ୍ୟକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲୁ । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବାମୀନାଥନ୍ କମିସନ୍ ରିପୋର୍ଟ କାର୍ଯ୍ୟକାରୀ ହୋଇଥିବା ତଥ୍ୟକୁ ସ୍ବାମୀନାଥନ୍ ନିଜେ ଗ୍ରହଣ କରିନାହାନ୍ତି ।
ପୂର୍ବରୁ ସ୍ବାମୀନାଥନ୍ କମିସନ୍ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ । ରିପୋର୍ଟ ଅନୁଯାୟୀ ଏମ୍ଏସ୍ପି ଦେଢଗୁଣା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ତାହା କରିନାହାନ୍ତି ବୋଲି ସସ୍ମିତ୍ ପାତ୍ର କହିଛନ୍ତି । ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୫୬୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ସ୍ବାମୀନାଥନ୍ କମିସନ୍ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଧାନର ଏମ୍ଏସ୍ପି ମୂଲ୍ୟ ଦେଢଗୁଣ ବୃଦ୍ଧି କରାଯାଇ ୧୫୬୦ ଟଙ୍କାରୁ ୨୩୪୦ ଟଙ୍କା କରାଯିବା କଥା ।
ଏହା ପୂର୍ବରୁ ୨୦୧୮ ମସିହାରେ ଓଡିଶା ବିଧାନସଭାରେ ଏକ ପ୍ରସ୍ତାବକୁ ଗୃହୀତ କରାଯାଇଥିଲା । ଯେଉଁଥିରେ ଧାନର ସର୍ବନିମ୍ନ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଥିଲା । ଯେଉଁଥିରେ କି ସ୍ବାମୀନାଥନ୍ କମିସନ୍ ରିପୋର୍ଟ ଅନୁଯାୟୀ ଦେଢଗୁଣ ଏମ୍ଏସ୍ପି ବୃଦ୍ଧି କରିବା ସହ ଧାନର ମୂଲ୍ୟ କ୍ବିଣ୍ଟାଲ ପିଛା ୧୫୬୦ ଟଙ୍କାରୁ ୨୩୪୦ ଟଙ୍କାକୁ ବୃଦ୍ଧି କରାଯିବା ସହ ଏଥିରେ ୨୫ ପ୍ରତିଶତ ଲ୍ୟାଣ୍ଡ କଷ୍ଟ୍ ଲାଗୁ କରି ଧାନର କ୍ବିଣ୍ଟାଲ ପିଛା ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଯୋଜନା କରାଯାଇଥିଲା । ତେଣୁ ଯଦି ବିଜେପି ବିଧାୟକମାନେ ଏହାକୁ ସକାରାତ୍ମକ ଭାବେ ନେଇଥାନ୍ତେ ତେବେ ଏହାକୁ ଲାଗୁ କରାଯାଇପାରିଥାନ୍ତା । କିନ୍ତୁ ବିଜେପି ଦଳ ସ୍ବାମୀନାଥନ୍ କମିସନ୍ ରିପୋର୍ଟକୁ କାହିଁକି ସଂସଦରେ କାର୍ଯ୍ୟକାରୀ କରିବା ପାଇଁ ଚାହିଁନଥିଲା ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।