ବିଜେପିର ଧାନ ମଣ୍ଡି ଚାଲ ଅଭିଯାନ ଏକ ଜୁମ୍‍ଲାବାଜୀ ଓ ଶସ୍ତା ରାଜନୀତିର ପ୍ରତୀକ: ପ୍ରତାପ ଦେବ

ଭୁବନେଶ୍ୱର : କୃଷିଋଣ ଛାଡ଼କୁ ନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବକ୍ତବ୍ୟ ଏକ ନୂତନ ଜୁମ୍‍ଲା । ଯେଉଁ ପ୍ରକାର ଭାବରେ ୨୦୧୪ରେ ସରକାରକୁ ଆସିଲେ ଓଡ଼ିଶା ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶାର ଜନସାଧାରଣଙ୍କୁ ବିଜେପି ଧୋକ୍କା ଦେଇଥିଲା ସେହିପରି ଏବେ ଚାଷୀଙ୍କୁ ଋଣଛାଡ଼ ଆଉ ଏକ ଧୋକ୍କା, ମିଥ୍ୟା ପ୍ରତିଶ୍ରୁତି ଏବଂ ଓଡ଼ିଶାର ଚାଷୀକୁଳ ସହିତ ବିଶ୍ୱାସଘାତକତା ।

ବିଜେପିର ସାଢ଼େ ୪ବର୍ଷ ହେଲାଣି କେନ୍ଦ୍ରରେ ସରକାର ଅଛି । ଯଦି ସତ୍‍ସାହସ ଅଛି, ଆସନ୍ତା ଦିନମାନଙ୍କରେ କେନ୍ଦ୍ର ସରକାର କୃଷିଋଣ ଛାଡ଼ କରି ଦେଖାଉ । ଯେପରି ଉପା ସରକାର ସମୟରେ ୭୦ ହଜାର କୋଟି ଟଙ୍କାର ଋଣ ଛାଡ଼ ହୋଇଥିଲା, ଆଜି କେନ୍ଦ୍ରରେ ବିଜେପି ସରକାର ସେପରି ଋଣଛାଡ଼ କରିବା ପାଇଁ ଅମଙ୍ଗ ହେଉଥିବାରୁ, ସେଥିରୁ ତାଙ୍କର ଚାଷୀ ବିରୋଧୀ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପଣ୍ଡାଙ୍କ ବକ୍ତବ୍ୟ ‘ବିନାଶ କାଳେ ବିପରୀତ ବୁଦ୍ଧି’କୁ ଦର୍ଶାଉଛି । ବିଜେପିର କୁମ୍ଭୀର କାନ୍ଦଣାକୁ ପଦାରେ ପକାଇଛି । ଆସନ୍ତା କିଛିଦିନ ମଧ୍ୟରେ ବିଜେପି ଧାନ ମଣ୍ଡି ପରିଦର୍ଶନ କରିବା ଏକ ଜୁମ୍‍ଲାବାଜୀ ଏବଂ ଶସ୍ତା ରାଜନୀତିକରଣର ପ୍ରତୀକ । ଯଦି ଇଚ୍ଛାଶକ୍ତି ଥିଲା, ଧାନର ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରିଥାନ୍ତେ ।

ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପ୍ରତିଶ୍ରୁତିରେ ରହିଗଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ଼ ଗୁଣା କଲେ ନାହିଁ ଏବଂ ସ୍ୱାମୀନାଥନ କମିଶନ ରିପୋର୍ଟ ସୁପାରିସକୁ ମଧ୍ୟ କାର୍ଯ୍ୟକାରୀ କଲେ ନାହିଁ । ଏଥିରୁ ବିଜେପିର ଚାଷୀ ବିରୋଧୀ ନୀତି ଏବଂ ଓଡ଼ିଶା ବିରୋଧୀ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।